ବାଇକ ଚୋରି ଗ୍ୟାଙ୍ଗର ରହସ୍ୟ ଉନ୍ମୋଚିତ: ୭ଗିରଫ, ନାବାଳକ ଅଟକ, ୧୧ବାଇକ ଜବତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାରେ ବଢ଼ି ଚାଲିଥିବା ବାଇକ୍ ଚୋରି ଉପରେ କେନ୍ଦ୍ରାପଡ଼ା ପୋଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକ ବାଇକ୍ ଚୋରି ଗ୍ୟାଙ୍ଗର ରହସ୍ୟ ଉନ୍ମେଚନ କରିଛି। ଏହା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ଏଥିରେ ସଂପୃକ୍ତ ଜଣେ ନାବାଳକଙ୍କୁ ଅଟକ ରଖିଛି ପୋଲିସ। ଏହା ସହିତ ଅଭିଯୁକ୍ତମାନଙ୍କ ନିକଟରୁ ମୋଟ ୧୧ଟି ଚୋରି ବାଇକ୍ ଜବତ କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍େଟମ୍ବର ୩୦ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ବାଇକ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ସଦର ଥାନା କେସ୍ ନଂ ୫୯୩/୨୦୨୬ ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରାଥମିକ ଭାବେ ଏହି ମାମଲା ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୩(୨) ଅନୁଯାୟୀ ପଞ୍ଜୀକୃତ ହୋଇଥିଲା। ତେବେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶକ୍ରମେ ସଦର ଥାନା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ବାଇକ୍ ଚୋରି ପଛରେ ଏକ ସଂଗଠିତ ଗ୍ୟାଙ୍ଗ୍ ସକ୍ରିୟ ଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ମାମଲାରେ ବିଏନଏସର ଧାରା ୩୩୧(୪), ୩୦୫ ଏବଂ ମୋଟର ଯାନ ଆଇନର ଧାରା ୧୯୨ ଯୋଡ଼ା ଯାଇ ତଦନ୍ତକୁ ଆହୁରି ଜୋରଦାର କରାଯାଇଥିଲା। ପୋଲିସ ଟିମ୍ ଗୁଇନ୍ଦା ସୂଚନା ଏବଂ ଟେକ୍ନିକାଲ୍ ଟ୍ରାକିଂ ଆଧାରରେ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଅଭିଯାନରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେହି ଅଭିଯୁକ୍ତମାନେ ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅଧିନ ଫକିରାବାଦର ମୀର ଲିଆକତ ଅଲ୍ଲୀଙ୍କ ପୁଅ ମୀର ରେଫାକତ ଅଲ୍ଲୀ ଓରଫ କୁନ୍ଦନ(୩୬), କେନ୍ଦ୍ରାପଡା ସହର ଜଇପୁରାର ସେକ ମହିଉଦ୍ଦିନଙ୍କ ପୁଅ ସେକ ଅବଦୁଲ(୩୦), ଜଇପୁରା ଗ୍ରାମର ସେକ ମୁସରଫଙ୍କ ପୁଅ ସେକ ଇସମାଇଲ(୨୫), ଜଇପୁରାର ସେକ ଉସ୍ତର ଅଲ୍ଲୀଙ୍କ ପୁଅ ସେକ ମୁସ୍ତାକ ଅଲ୍ଲୀ(୩୨), ପାଟକୁରା ଥାନା ଅଧିନ ଯମପଡା ଗ୍ରାମର ଉମେଶ ବିଶ୍ୱାଳଙ୍କ ପୁଅ ରାକେଶ ବିଶ୍ୱାଳ(୯), ଟାଉନ ଥାନା ଅଧିନ ଫକିରାବାଦର ସ୍ୱର୍ଗତ ସୟଦ ସଦିକ ହାସାନଙ୍କ ପୁଅ ସୟଦ ଅସମିରୁଲ ହାସାନ(୩୭), ନସଡିପୁର ଗ୍ରାମର ମିର୍ଜା ସଫିକଙ୍କ ପୁଅ ମିର୍ଜା ସାଦିକ ଓରଫ ଚିନା(୨୦) ଏବଂ ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଥାନା ଅଧିନ ନହରପୁର ଗ୍ରାମର ସେକ ନିଜାମୁଦ୍ଦିନଙ୍କ ପୁଅ ସେକ ନିୟାଜ ଓରଫ ରିୟାଜ(୨୮)। ଏହା ସହିତ ଜଣେ ନାବାଳକକୁ ମଧ୍ୟ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ବିଭିନ୍ନ କମ୍ପାନୀର ମୋଟ ୧୧ଟି ମୋଟରସାଇକେଲ ଜବତ କରାଯାଇଛି। ଚୋରି ବାଇକ୍ଗୁଡ଼ିକର ନମ୍ବର ପ୍ଲେଟ୍ ବଦଳାଇ ସେଗୁଡ଼ିକୁ କମ୍ ଦାମରେ ବିକ୍ରି କରିବାକୁ ଯୋଜନା ଚାଲିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଧରାପଡ଼ିଥିବା ସମସ୍ତ ୭ ଜଣ ପ୍ରାପ୍ତବୟସ୍କ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ନାବାଳକ ବିରୋଧରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ନିୟମ ଅନୁସାରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଏହି ଗ୍ୟାଙ୍ଗ୍ ସହ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ସେମାନେ ପୂର୍ବରୁ ଅନ୍ୟ କେଉଁ ଅଞ୍ଚଳରୁ ବାଇକ୍ ଚୋରି କରିଛନ୍ତି ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି ବୋଲି ଏସପି ସୂଚନା ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ରାପଡ଼ା ପୋଲିସ ସାଧାରଣ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି। ଜନସାଧାରଣ ନିଜ ଯାନବାହନ ପାର୍କିଂ କରିବା ସମୟରେ ସତର୍କ ରହିବା ସହ ସନ୍ଦିଗ୍ଧ ବ୍ୟକ୍ତି ବା ଗତିବିଧି ନଜରକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବାକୁ ସେ କହିଛନ୍ତି। କିନ୍ତୁ କେନ୍ଦ୍ରାପଡା ଏସପି ୧୧ଟି ଚୋରା ବାଇକ ଜବତ ହୋଇଥିବା ସୂଚନା ଦେଇଥିବା ବେଳେ ସଦରଥାନା ଅଧିକାରୀ ପଦ୍ମାଳୟା ପ୍ରଧାନ କିନ୍ତୁ ୧୦ଟି ବାଇକ ଜବତ ହୋଇଥିବା ତାଲିକା ଦେଇଛନ୍ତି। ଏସପି ଏବଂ ସଦର ଥାନା ଆଇଆଇସିଙ୍କ କଥାରେ ତାଳମେଳ ରହୁନଥିବା ଦେଖାଯାଇଛି। ଏହାସହ ଅଭିଯୁକ୍ତଙ୍କ ମଧ୍ୟରେ ଚୋରି ବାଇକ କିଣିଥିବା ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ବିଷୟରେ ପୋଲିସ କୈାଣସି ସୂଚନା ଦେଇନାହିଁ।


