ଷୋଳଗାଁ ସ୍କୁଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଞ୍ଚାୟତର ଷୋଳଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ରାତି ଅନ୍ଧାରରେ ଦୁର୍ବୃତ୍ତମାନେ ସ୍କୁଲରେ ପଶି ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ସାମନାକୁ ଆସିଛି। ସୂଚନା ଅନୁଯାୟୀ ରବିବାର ସକାଳୁ ସକାଳୁ ଗ୍ରାମର କିଛି ଲୋକ ଯାତାୟାତ ବେଳେ ବିଦ୍ୟାଳୟର ତାଲା ଭାଙ୍ଗାଯିବା ଘଟଣା ଦେଖି ଗାଁର ୱାର୍ଡ ମେମ୍ବର,ପରିଚାଳନା କମିଟିର ସଭାପତି ଲୋକେ ବିଦ୍ୟାଳୟରେ ପହଞ୍ଚି ଧାମନଗର ଥାନାକୁ ଖବର ଦେଇଥିବା ଜଣାପଡିଛି। ଏହି ଚୋରି ଘଟଣାକୁ ନେଇ ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଶିକ୍ଷାର ମନ୍ଦିରରେ ଚୋରି ଘଟଣା ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରି ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲି ଶିକ୍ଷକ ମହଲରେ ଆଲୋଚନା ହେଉଛି। ସ୍କୁଲ ଛୁଟି ଅଛି ପ୍ରଧାନ ଶିକ୍ଷକଙ୍କ ଘର ବାରିପଦା ହୋଇଥିବାରୁ ତେଣୁ ପରିଚାଳନା କମିଟି ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଛି ପ୍ରଧାନ ଶିକ୍ଷକ ଆସିଲେ ଲିଖିତ ଅଭିଯୋଗ ଥାନାରେ ଦିଆଯିବ ବୋଲି ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ ସୂଚନା ଦେଇଛନ୍ତି।


