ଚାକିରିର ମିଛ ସ୍ୱପ୍ନ ଦେଖାଇ ୨ ଲକ୍ଷରୁ ଅଧିକ ଟଙ୍କା ଚଳୁ

ଧାମନଗର (ଓ୍ବାଇଏନଏସ): ପୁଅକୁ ଚାକିରି କରାଇଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଆଦାୟ! ଚାକିରି ମିଳିଲାନି, ଫେରିଲାନି ଟଙ୍କା; ଓଲଟା ମିଳିଲା ଧମକ! ଏଭଳି ଏକ ସଙ୍ଗିନ ଅଭିଯୋଗ ଏବେ ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଚାକିରି କରାଇଦେବା ନାଁରେ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିବା ଅଭିଯୋଗରେ ଧାମନଗର ଥାନାରେ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।ଅଭିଯୋଗ ଅନୁଯାୟୀ,ଶ୍ୟାମପୁର ଗ୍ରାମର ୬୦ ବର୍ଷୀୟ ସୁକାନ୍ତ ନାୟକଙ୍କ ପୁଅକୁ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବାନ୍ଧଟିଆ ଅଞ୍ଚଳର ରାଜକିଶୋର ଦାଶ ଟଙ୍କା ନେଇଥିଲେ। ଫୋନ୍‌ପେ ମାଧ୍ୟମରେ ୧ ଲକ୍ଷ ୯୬ ହଜାର ୩୦୦ ଟଙ୍କା ଏବଂ ନଗଦ ୭ ହଜାର ଟଙ୍କା ଦିଆଯାଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। ରାଜକିଶୋର ଧାମନଗର ବାଳିକା ହାଇସ୍କୁଲରେ ପୂର୍ବରୁ କାର୍ଯ୍ୟ କରୁଥିଲେ ବୋଲି ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।କିନ୍ତୁ ଚାକିରି ସମ୍ପର୍କରେ ବାରମ୍ବାର ପଚରାଯିବାରୁ ଅଭିଯୁକ୍ତ ବିଭିନ୍ନ ବାହାନା ଦେଖାଇ ଏଡ଼ାଇ ଯାଇଥିବା, ସ୍କୁଲ ଛାଡ଼ି ଚାଲିଯାଇଥିବା ଏବଂ ମୋବାଇଲ୍‌ ଫୋନ୍‌ ବନ୍ଦ କରିଦେଇଥିବା ସୁକାନ୍ତ ଅଭିଯୋଗ କରିଛନ୍ତି। ଟଙ୍କା ଫେରସ୍ତ ମାଗିବାରୁ ରାଜକିଶୋରଙ୍କ ସମେତ ସାବିତ୍ରୀ ଦାଶ ଓ ରାଜକିଶୋରଙ୍କ ଝିଅଙ୍କ ପକ୍ଷରୁ ଧମକ ଓ ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ଏହି ଘଟଣାରେ ଧାମନଗର ଥାନାରେ ମାମଲା ନଂ ୦୪୭୧, ତା. ୦୩.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩(୫), ୩୧୮(୪) ଓ ୩୫୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ନରେନ୍ଦ୍ର କୁମାର ରାଉତଙ୍କୁ ତଦନ୍ତଭାର ଦିଆଯାଇଛି। ଚାକିରି ଭଳି ସମ୍ବେଦନଶୀଳ ବିଷୟକୁ ଆଧାର କରି ଟଙ୍କା ନେଣଦେଣ ଅଭିଯୋଗ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତଦନ୍ତରେ ଟଙ୍କା ନେଣଦେଣର ସତ୍ୟତା ଓ ଅଭିଯୋଗର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଠାରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ