ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଗଠନ ନେଇ ପଥପ୍ରାନ୍ତ ନାଟକ

ନାଉଗାଁ ,(ପ୍ରଦୋଷ ମହାନ୍ତି): ଶିଶୁ ଶ୍ରମିକ ନିୟୋଜନ ରୋକିବା ଏବଂ ଏକ ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ନିକଟରେ ପଥପ୍ରାନ୍ତ ନାଟକ ଓ ନୃତ୍ୟ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ‘ପପେଟ୍’ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅକ୍ଟୋବର ୨ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ୪୪ ଦିନ ଧରି ଜିଲ୍ଲାରେ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଅଭିଯାନ ଚାଲିଛି। ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଗ୍ରାମସଭା ଓ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଶିଶୁ ଶ୍ରମିକ ନିୟୋଜନର କୁପରିଣାମ ଏବଂ ଏଥିପାଇଁ ରହିଥିବା ଆଇନଗତ ଦଣ୍ଡବିଧାନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି। ଶିଶୁ ଶ୍ରମିକ ନିୟୋଜନ କରୁଥିବା ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ ଜେଲ ଓ ଜରିମାନା ଦଣ୍ଡର ବ୍ୟବସ୍ଥା ରହିଥିବା ନେଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ମିଶ୍ର ଯୋଗଦେଇ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଶ୍ରମିକ ସଂଗଠନର ସଦସ୍ୟ ଶିଶିର କୁମାର ପରିଡ଼ା ଓ ସୁଧୀର କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ