କୃଷି କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ତହସିଲଦାରମାନଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ସହାୟତା ବଣ୍ଟନ, କୃଷି କ୍ଷୟକ୍ଷତିର ଆକଳନ, ଶିକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାର ପୁନରୁଦ୍ଧାର ନେଇ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଓସୱାନ୍ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସହାୟତା ବଣ୍ଟନ ସମୟରେ ଯେପରି ଜଣେ ହିତାଧିକାରୀ ଦୁଇଥର ସହାୟତା ନ ପାଆନ୍ତି, ସେଥିପ୍ରତି ବିଶେଷ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପ୍ରଭାବିତ ବ୍ଲକ୍ରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ରଖିବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳର ପିଲାମାନଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ନୂତନ ପାଠ୍ୟପୁସ୍ତକ ବଣ୍ଟନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଆସନ୍ତାକାଲି ଆସିକାର ତିନୋଟି ବିଦ୍ୟାଳୟ ଖୋଲାଯିବା ସହ ପ୍ରଭାବିତ ଅଞ୍ଚଳର ପାଠ୍ୟ ପୁସ୍ତକ ବଣ୍ଟନ ଆରମ୍ଭ କରାଯିବ । ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର ପୁସ୍ତକ ପହଞ୍ଚିଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକ ଖୁବ୍ ଶୀଘ୍ର ପହଞ୍ଚିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ। ଯେଉଁ ବ୍ଲକ୍ଗୁଡ଼ିକରେ କୃଷି କ୍ଷୟକ୍ଷତି ସମ୍ପର୍କିତ ମାମଲା ପଞ୍ଜୀକରଣ କମ୍ ହୋଇଛି, ସେଠାରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ତହସିଲଦାରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କୁ ତାଙ୍କ ଉପଖଣ୍ଡ ଅନ୍ତର୍ଗତ ତହସିଲଗୁଡ଼ିକରେ ଫସଲ କ୍ଷୟକ୍ଷତି ମାମଲାର ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ କହିଥିଲେ। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବାରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ଗୁଡ଼ିକ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ମଧ୍ୟ ସମାନ ତତ୍ପରତାର ସହ କାର୍ଯ୍ୟ ଜାରି ରଖିବାକୁ କହିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ଅନ୍ୟ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।


