ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ବିଡ଼ିଓ
ବୁଗୁଡ଼ା,(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ବ୍ଲକରେ ଜାରି ରହିଛି ସ୍ୱତନ୍ତ୍ର ଅଭିଯାନ। ଏହି ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ବିଭିନ୍ନ ବର୍ଗର କର୍ମୀଚାରୀ, ଗ୍ରାମବାସୀ ଓ ସ୍ବେଛାସେବୀ ସାମିଲ ହୋଇ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଗେଇ ଆସିଛନ୍ତି। ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଗଠନ ପାଇଁ ଚାଲିଛି ସାମୂହିକ ପ୍ରୟାସ। ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା ସହ ପରିବେଶ ସୁରକ୍ଷା ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦଶ୍ୟ। ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତରେ ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ସ୍ୱଚ୍ଛତା ଅଭିଯାନ। ଏହି କାର୍ଯ୍ୟକ୍ରମରେ ବ୍ଲକ ଓ ପଞ୍ଚାୟତ କର୍ମଚାରୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏମ୍ବିକେ, ସିଆର୍ପି ଏବଂ ଗ୍ରାମବାସୀ ସାମୂହିକ ଭାବେ ଶ୍ରମଦାନ କରିଥିବା ବେଳେ ସେମାନଙ୍କ ସହ ବୁଗୁଡ଼ା ବିଡିଓ ଶ୍ରୀ ପାତ୍ର ନିଜ ହାତରେ ଗ୍ଲୋବସ୍ ପିନ୍ଧି ରାସ୍ତା କଡ଼ର ଅଳିଆ ସଫା କରିଥିଲେ।ପଞ୍ଚାୟତର ମୁଖ୍ୟ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ପ୍ଲାଷ୍ଟିକ ସହ ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। କେବଳ ସଫେଇ ନୁହେଁ, ରାସ୍ତାକଡ଼ ଦୋକାନୀମାନଙ୍କୁ ମଧ୍ୟ ସ୍ୱଚ୍ଛତାର ବାର୍ତ୍ତା ଦିଆଯାଇଥିଲା। ଦୋକାନ ସମ୍ମୁଖରେ ଡଷ୍ଟବିନ୍ ରଖି ସେଥିରେ ଅଳିଆ ପକାଇବା ଓ ପ୍ଲାଷ୍ଟିକ କ୍ୟାରୀ ବ୍ୟାଗ ବଦଳରେ କପଡ଼ା ଓ ପାଟ କ୍ୟାରୀ ବ୍ୟାଗ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା।


