ଶ୍ୱଶୁର-ବୋହୂ ଏକାଠି ଦେଲେ ବୋର୍ଡ ପରୀକ୍ଷା
ପାଠ ପଢ଼ିବାର କୌଣସି ବୟସ ସୀମା ନଥାଏ । ମନୁଷ୍ୟ ଚାହିଁଲେ ଯେ କୌଣସି ବୟସରେ ଯେ କୌଣସି ପରିସ୍ଥିତିରେ ବି ପାଠପଢ଼ା ଆରମ୍ଭ କରିପାରିବ । ଏଭଳି କଥାର ଉଦାହରଣ ରାଜସ୍ଥାନର ଚୁରୁ ଜିଲ୍ଲାର ରତନଗଡ଼ରେ ଦେଖିବାକୁ ମିଳିଛି । ରତନଗଡ଼ରେ ଶ୍ୱଶୁର ଓ ପୁତ୍ରବଧୂ ଏକାଠି ରାଜସ୍ଥାନର ମାଧ୍ୟମିକ ଶିକ୍ଷା ବୋର୍ଡରେ ପରୀକ୍ଷା ଦେଉଛନ୍ତି । ରତନଗଡ଼ର ୱାର୍ଡ ୧୦ ନିବାସୀ ସୀତାରାମ ଜାଙ୍ଗିଡ ଓ ତାଙ୍କ ପୁତ୍ରବଧୂ କବିତା ଜାଙ୍ଗିଡ ଗୁରୁବାର ଏକା ସହିତ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଶ୍ୱଶୁର ଦ୍ୱାଦଶ ଓ ପୁତ୍ରବଧୂ ୧୦ମ ଓପନ୍ ବୋର୍ଡ ପରୀକ୍ଷା ଦେଉଛନ୍ତି । ଗୁରୁବାର ଦିନ ସହରର ଶ୍ରୀ ରଘୁନାଥ ସିନିୟର ସେକେଣ୍ଡରୀ ସ୍କୁଲ କେନ୍ଦ୍ରରେ ଶ୍ୱଶୁର ଭୂଗୋଳ ଓ ପୁତ୍ରବଧୂ ହିନ୍ଦୀ ପେପର ପରୀକ୍ଷା ଦେଇଛନ୍ତିି । ୬୪ ବର୍ଷୀୟ ସୀତାରାମ ଜାଙ୍ଗିଡ ଅନୁସାରେ, ୪୦ ବର୍ଷ ପୂର୍ବେ ନବମ ଶ୍ରେଣୀ ଫେଲ୍ ହୋଇଯିବା ପରେ ସେ ପାଠପଢ଼ା ଛାଡ଼ିଦେଇଥିଲେ । କାରଣ ସେହି ସମୟରେ ସେ ପାଠପଢ଼ାର ମହତ୍ତ୍ୱ ବୁଝି ପାରି ନଥିଲେ । ତାଙ୍କ ସାଙ୍ଗମାନେ ପାଠପଢ଼ୁଥିବା ସମୟରେ ସେ କାମଧନ୍ଦା କରିବା ଆରମ୍ଭ କରି ଦେଇଥିଲେ । ଧୀରେ ଧୀରେ ସମୟ ବିତିଲା । ଚାକିରି କରିଲେ । ଭଲ ପ୍ରଫେସନ୍ରେ ଯିବା ପାଇଁ ଚାହିଁଲେ, ସେତେବେଳେ ପାଠପଢ଼ାର ମହତ୍ତ୍ୱ ବୁଝିପାରିଥିଲେ । ଏହା ପରେ ୪୦ ବର୍ଷ ପରେ ପୁଣି ସେ କଲମ ଉଠାଇଥିଲେ । ଦୁଇବର୍ଷ ପୂର୍ବେ ଓପନ୍ ବୋର୍ଡରେ ଫର୍ମ ଭରିଲାବେଳେ ଅନେକ ଲୋକେ ହସିବାକୁ ଲାଗିଥିଲେ । ଲୋକେ କହିଥିଲେ ଏହି ବୟସରେ ଡିଗ୍ରୀ ହାସଲ କରି କ’ଣ କରିବେ । କିନ୍ତୁ ସୀତାରାମ ନିଜ ଉପରୁ ବିଶ୍ୱାସ ହଟାଇ ନଥିଲେ । ସେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ପୂରା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଶ୍ୱଶୁରଙ୍କ ଏହି ଆତ୍ମବିଶ୍ୱାସ ଦେଖି ୮ବର୍ଷ ପୂର୍ବେ ପାଠପଢ଼ା ଛାଡ଼ିଥିବା ତାଙ୍କ ବୋହୂ ମଧ୍ୟ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇ ୧୦ମ ପରୀକ୍ଷା ଦେଉଥିବାବେଳେ ଦ୍ୱାଦଶ ପରୀକ୍ଷା ଶ୍ୱଶୁର ଦେଉଛନ୍ତି । ଶ୍ୱଶୁର ଓ ବୋହୂଙ୍କୁ ଏକାଠି ପରୀକ୍ଷା କେନ୍ଦ୍ରରେ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ ।


