ଏ.ଆଇ.ଟି.ୟୁ.ସି.ର ଜିଲ୍ଲା କମିଟି ବୈଠକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) :ବାଲେଶ୍ୱର ଜିଲ୍ଲା ଏ.ଆଇ.ଟି.ୟୁ.ସି. ତରଫରୁ ନୂତନବର୍ଷକୁ ସ୍ୱାଗତ ଜଣାଇବା ସହ ବୁଧବାର ମଧ୍ୟାହ୍ନରେ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ବିଭିନ୍ନ ସଂଘର କର୍ମକର୍ତ୍ତାମାନଙ୍କର ଏକ ବନ୍ଧୁମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତ ନବବର୍ଷ ଶ୍ରମଜୀବି ଜନଗଣଙ୍କ ପାଇଁ ସଂଗ୍ରାମର ଓ ବିଜୟ ହାସଲର ବର୍ଷ ହେବବୋଲି ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ କହିଥିଲେ । ଚଳିତମାସ ୮ ତାରିଖ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ୧୨ଦଫା ଦାବିରେ ମିଳିତଭାବେ ଭାରତବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ । ନାଗରିକ ସଂଶୋଧନ ଆଇନ ଓ ଏନ୍.ଆର.ସି.କୁ ସମଗ୍ର ଦେଶରେ ବିରୋଧ କରାଯାଉଥିବାବେଳେ ଆସନ୍ତା ୪ ତାରିଖ ଶନିବାର ଦିନ ବାଲେଶ୍ୱରରେ ସମସ୍ତ ବର୍ଗର ଜନଗଣଙ୍କୁ ନେଇ ସଭା ଓ ଶୋଭାଯାତ୍ରା ହେବ । ଏହି ଆନ୍ଦୋଳନରେ ଶ୍ରମିକ ସାଥିମାନେ ଯୋଗଦେଇ ସଫଳ କରିବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉଠାଜଳସେଚନ ନିଗମରୁ ଅବସର ନେଇଥିବା ଦୋଳଗୋବିନ୍ଦ ବାଗଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକର ବିଭିନ୍ନ ସଂଘ ତରଫରୁ ସର୍ବଶ୍ରୀ ଶ୍ୟାମସୁନ୍ଦର ଜେନା, ଶଶିକାନ୍ତ ବେହେରା, ଶରତ ଦଳାଇ, ଉମାକାନ୍ତ ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଭରତ ସେଠୀ ଓ ରାମ ବେହେରା ପ୍ରମୁଖ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । କାର୍ତ୍ତିକ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।