ତମାଖୁ ନିଷେଧ ଆଇନକୁ ପୁରିଲା ୭ ବର୍ଷ,ବେଧଡ଼କ ଭାବେ ଚାଲିଛି ଗୁଟ୍ଖା କାରବାର
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ଓଡ଼ିଶା ରାଜ୍ୟରେ ନିକୋଟିନ ଯୁକ୍ତ ଗୁଟ୍ଖା ଓ ପାନମସଲା ବ୍ୟାନ୍ । ବଜାରରେ ତିଆରି କି ବିକ୍ରି ହୋଇପାରିବନ ଗୁଟ୍ଖା ଓ ପାନମସଲା । ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିଖରେ ଏମିତି ଆଇନ ଆଣିଥିଲେ ରାଜ୍ୟ ସରକାର । ଆଇନ ଉଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚରମବାଣୀ ଶୁଣାଇଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ଏ କ୍ଷେତ୍ରରେ ମିଳୁଥିବା ରାଜସ୍ୱକୁ ଗୋଡ଼ରେ ଆଡ଼େଇ ଦେଇଥିଲେ । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବେ ଯୋଗୁଁ ସରକାରୀ ନିର୍ଦ୍ଦେଶନାମା ମଧ୍ୟ ଫୁ କରି ଉଡ଼ିଯାଇଥିବା ସାଧାରଣରେ ଆଲୋଚିତ ହେଉଛି । ଏମିତି ନୁହେଁ ଯେ ଗୁଟ୍ଖା ଓ ପାନମସଲା ଲୁଚାଛପାରେ ଚାଲିଛି ସବୁ ଚାଲିଛି ଖୁଲୁମ୍ଖୁଲା । ସାଧାରଣତଃ ଯୁବପିୃିଢି ହୁଅନ୍ତୁ ବା ପାଠପଢା ପିଲା ସମସ୍ତଙ୍କ ପାଇଁ ଗୁଟ୍ଖା ଓ ପାନମସଲା ସେବନ ଅଧିକାଂଶଙ୍କ ପାଇଁ ଫେସନ ପାଲଟିଯାଇଛି । ଗଞ୍ଜାମ ଜିଲ୍ଲାର ପ୍ରାୟ ୯୦% ରୁ ଅଧିକ ପାନ ଦୋକାନରେ ବିକ୍ରି ହେଉଛି ବିଭିନ୍ନ କମ୍ପାନୀର ଭଳିକି ଭଳି ଗୁଟ୍ଖା ଓ ପାନମସଲା । ଆଉ ଏହି ନିଶାବଳୟ ଭିତରେ ଜଣକ ପରେ ଜଣେ ମୁଖ ଗହ୍ୱର କର୍କଟ ରୋଗରେ ଶିକାର ହୋଇ ଚାଲିଛନ୍ତି । ଗୋଟିଏ ପଟେ ଅଧିକାଂଶ ଯୁବପିଢି ଜାଣି ଜାଣି କର୍କଟର ବିଷ ବଳୟ ମଧ୍ୟକୁ ନିଜକୁ ନିଜେ ଠେଲି ଦେଉଥିବା ବେଳେ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ କର୍କଟ ରୋଗର ଚିକିତ୍ସା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗୋଟିଏ ପଟେ ତମାଖୁର ଅବାଧ ବିକ୍ରୟ ଉପରେ ଅଙ୍କୁଶ ଲଗାଇବାରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ପ୍ରକାଶ କରୁନଥିବା ବେଳେ ଏହାର ସିଧାସଳଖ ପ୍ରଭାବ ନିକୋଟିନ ଯୁକ୍ତ ଗୁଟ୍ଖା ଓ ପାନମସଲା ସେବନ କରୁଥିବା ବ୍ୟକ୍ତି ବିଶେଷ ଓ ରାଜ୍ୟ ରାଜକୋଷ ଉପରେ ପଡ଼ୁଥିବା ନେଇ ଅଂଚଳର ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି । ରାଜ୍ୟରେ ନିକୋଟିନ ଯୁକ୍ତ ଗୁଟ୍ଖା ଓ ପାନମସଲା ଜାତୀୟ ଖାଦ୍ୟ ପଦାର୍ଥର ବିକ୍ରୟକୁ ନିଷେଧ ପାଇଁ ଏକ ଆଇନ ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିଖରେ ଲାଗୁ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା କେବଳ କାଗଜ କଲରେ ସିମୀତ ରହିଯାଇଥିବା ଦେଖିବାକୁ ମିଳୁଛି । ତମାଖୁ ସେବନ ଜନିତ କର୍କଟ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଗତ ୨୦୧୩ ମସିହା ଜାନୁୟାରୀ ମାସ ୩ ତାରିଖରେ ରାଜ୍ୟ ସରକାର ଫୁଡ଼୍ ଷ୍ଟାଣ୍ଡାର୍ଡ଼ ଏଣ୍ଡ ସେଫ୍ଟି ଆକ୍ଟ ଅନୁଯାୟୀ ଓଡ଼ିଶା ବଜାରରେ ଏହାର ବିକ୍ରୟକୁ ସଂପୂର୍ଣ୍ଣ ନିଷେଧ ଘୋଷଣା କରିଥିଲେ । ଏହି ନିୟମକୁ ଯେଉଁ ବ୍ୟକ୍ତି କିମ୍ବା ବ୍ୟବସାୟିକ ଅନୁଷ୍ଠାନ ଏହାର ବିକ୍ରୟ ତଥା ଯୋଗାଣ କରିବେ, ସେମାନଙ୍କୁ ଅର୍ଥ ଓ ଜେଲ ଦଣ୍ଡରେ ଦଣ୍ଡିତ କରିବା ପାଇଁ ନିୟମ ରହିଛି । କିନ୍ତୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠାର ନିକୋଟିନ ଯୁକ୍ତ ଗୁଟ୍ଖା ଓ ପାନମସଲା ଜାତୀୟ ଖାଦ୍ୟ ପଦାର୍ଥ ଅତି ସହଜରେ ମିଳୁନଥିବ । ଶିକ୍ଷାନୁଷ୍ଠାନ ନିକଟରେ ହେଉ କିମ୍ବା ପରିବା ବଜାର ସବୁଆଡ଼େ ଏହାର ଅବାଧ ବିକ୍ରୟ ଚାଲିଛି । ପାନ ଦୋକାନ କଥା ଦୂରେ ଥାଉ ଅନ୍ୟ କେତେକ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରେ ମଧ୍ୟ ଗୁଟ୍ଖା ମାଳ ଝୁଲୁଥିବାର ଦେଖିବାକୁ ମିଳୁଛି । କେତେକ ଦୋକାନରେ ଖୁଚୁରା ଯଙ୍କା ବଦଳରେ ଗୁଟ୍ଖାଟିଏ ଧରାଇ ଦେଉଥିବାର ମଧ୍ୟ ଅଭିଯୋଗ ହେଉଛି । ଗୁଟ୍ଖାର ଏଭଳି ବିକ୍ରୟକୁ ଦେଖିଲେ କେହି ବି ସହଜରେ ବିଶ୍ୱାସ କରିବ ନାହିଁ ଯେ, ଗୁଟ୍ଖା ବିକ୍ରୟ ନିଷେଧ କରାଯାଇଛି ଏବଂ ଗୁଟ୍ଖା ବିକ୍ରୟ କଲେ ଉଭୟ ଅର୍ଥ ଓ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ଗଞ୍ଜାମ ଜିଲ୍ଲାରେ ସରକାରୀ ନୀତିନିୟମକୁ ଉଲଂଘନ କରି ଅବାଧରେ ଗୁଟ୍ଖା କାରବାର ଚାଲିଥିଲେ ମଧ୍ୟ ତାହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନର ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଳକ୍ଷ୍ୟ କରାଯାଉଛି । ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ମାନେ ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସ ଛାଡ଼ି ପାରୁନାହାନ୍ତି । ସଚେତନତା ଅଭାବରୁ ଅଧିକାଂଶ କିଶୋର ଓ ବହୁ ଯୁବପିଢି ମଧ୍ୟ କୁସଙ୍ଗରେ ପଡ଼ି ତମାଖୁ ସେବନ ପ୍ରତି ଆକର୍ଷିତ ହେଉଛନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ କେତେକ ଜଣାଶୁଣା ଗୁଟ୍ଖା ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନବ୍ରାଣ୍ଡର ଗୁଟ୍ଖା ଆଣି ଅବାଧରେ ବିକ୍ରି କରି ମାଲାମାଲ ହେଉଥିବା ଚର୍ଚ୍ଚା ଜୋର ଧରିଛି । ଗତବର୍ଷ ହିଂଜିଳି ଥାନା ଅଂଚଳରେ ଚୋରାରେ ଚାଲିଥିବା ଏକ ଗୁଟ୍ଖା କାରଖାନା ଉପରେ ହିଂଜିଳି ପୋଲିସ ଅଚାନକ ରାତିଅଧିଆ ଚଢାଉ କରି ପ୍ରାୟ ୫୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟ୍ଖା ଓ ପାନମସଲା ସମେତ ପ୍ୟାକିଂ ଜରି, ଲେବଲ, କଂଚାମାଲ ସମେତ ବ୍ୟବହୃତ ଯନ୍ତ୍ରାଂଶ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତମାଖୁ ସେବନ ଦ୍ୱାରା ମୁଖକର୍କଟ, ଯକ୍ଷ୍ମା ଭଳି ବହୁ ଦୂରାରୋଗ୍ୟରେ ପୀଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାରି ଫଳରେ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କସଂଖ୍ୟା କମିବା ପରିବର୍ତେ ବଢିବାରେ ଲାଗିଛି । ପାନ, ବିଡ଼ି, ଗୁଟ୍ଖା ଓ ସିଗାରେଟ ଭଳି ତମାଖୁ ସେବନକାରୀ ବ୍ୟକ୍ତିବିଶେଷ ମାନେ ନିଜ ଅଭ୍ୟାସ ଛାଡ଼ି ପାରୁନାହାନ୍ତି । ତମାଖୁ ସେବନ ଦ୍ୱାରା ନିଜର ମୂଲ୍ୟବାନ ଜୀବନ ବିପଦ ଆଡ଼କୁ ଚାଲି ଯାଉଥିବା ଜାଣିଥିଲେ ମଧ୍ୟ ଅଭ୍ୟାସରେ ପରିବର୍ତନ ଆଣିପାରୁ ନାହାନ୍ତି । ନିଜର ମାନସିକତା ଓ ତମାଖୁ ଉପରେ ଥିବା ନିର୍ଭରଶୀଳତା ସେମାନଙ୍କୁ ତମାଖୁ ସେବନ କରିବାକୁ ବାଧ୍ୟ କରୁଛି । ଫଳରେ ତମାଖୁ ସେବନକାରୀ କର୍କଟ ଭଳି ରୋଗରେ ପୀଡ଼ିତ ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକାରଣରେ ମୃତ୍ୟୁବରଣ କରୁଛନ୍ତି । ତମାଖୁ ସେବନକରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ନକଲି ତମାଖୁ ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟ ବିଭିନ୍ନ ନାମରେ ଗୁଟ୍ଖା ଓ ପାନମସଲା ପ୍ରସ୍ତୁତ କରି ବଜାରରେ ବହୁଳ ମାତ୍ରାରେ ବିକ୍ରି କରୁଥିବା ଆଲୋଚିତ ହେଉଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଦିନକୁ ପ୍ରାୟ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଗୁଟ୍ଖା ଓ ପାନମସଲା ବିକ୍ରି ହେଉଥିବା ଏକ ଆକଳନରୁ ଜଣାପଡ଼ିଛି । ଜଣେ ତମାଖୁ ସେବନ କରିବା ଦ୍ୱାରା ତାର ମାନସିକତା ଗଭୀର ଭାବେ ପ୍ରଭାବିତ ହୋଇଥାଏ ଓ ଅଭ୍ୟାସରେ ପରିଣତ ହେବା ପରେ ଏହାକୁ ସହଜରେ ଛାଡ଼ିବା କଷ୍ଟକର ହୋଇ ପଡ଼ିଥାଏ । ତମାଖୁ ଉପରେ ସେ ଏତେ ନିର୍ଭରଶୀଳ ହୋଇପଡ଼େ ଯେ, ପରିଣାମ ଯାହା ହେଉନା କାହିଁକି ଅଭ୍ୟାସ ଛାଡ଼ିବା କଷ୍ଟକର ହୋଇପଡ଼େ । କେବଳ ଦୃଢ ମନୋବଳ ଓ ଇଛାଶକ୍ତି ଦ୍ୱାରା ହିଁ ଜଣେ ତମାଖୁ ସେବନ ଠାରୁ ଦୂରେଇ ରହିପାରିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି ।


