ଫ୍ଲାଟ ଭଡ଼ାକୁ ନେଇ ଚର୍ଚ୍ଚାରେ ରଣବୀର-ଦୀପିକା
ମୁମ୍ବାଇ : ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ଷ୍ଟାର ଦୀପିକା ପାଦୁକୋନ ଓ ରଣବୀର ସିଂ। କିନ୍ତୁ କୌଣସି ଫିଲ୍ମ କିମ୍ବା ଭିଡ଼ିଓ ପାଇଁ ନୁହେଁ, ବରଂ ଏକ ଫ୍ଲାଟ୍କୁ ନେଇ। ସୂଚନାଯୋଗ୍ୟ ଯେ ଦୀପିକାଙ୍କ ଘର ମୁମ୍ବାଇର ପ୍ରଭାଦେବୀ ସ୍ଥିତ ବିଉମୋଣ୍ଡ ଟାୱାରରେ ରହିଛି। ୩୩ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ଦୀପିକାଙ୍କ ଘର ୨୬ତମ ଫ୍ଲୋର୍ରେ ରହିଛି। ଏବେ ଏହି ବିଲ୍ଡିଂରେ ରଣବୀର ୧୪ତମ ମହଲାରେ ଫ୍ଲାଟ୍ ଭଡ଼ା ନେଇଥିବା ଜଣାପଡ଼ିଛି। ରଣବୀର ଏହି ଫ୍ଲାଟ୍ ୩ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। ଏହି ସମୟରେ ପ୍ରଥମ ଦୁଇ ବର୍ଷ ରଣବୀର ମାସିକ ୭ ଲକ୍ଷ ୨୫ ହଜାର ଟଙ୍କା ଭଡ଼ା ଦେବାକୁ ଥିବାବେଳେ ତୃତୀୟ ବର୍ଷ ୭ ଲକ୍ଷ ୯୭ ହଜାର ଟଙ୍କା ମାସିକ ଭଡ଼ା ଦେବେ। ସୂତ୍ର ଅନୁସାରେ ଏହି ଘରେ ରଣବୀରଙ୍କ ମା’ ବାପା ରହିବେ। କାରଣ ରେଣ୍ଟ ରେଜିଷ୍ଟ୍ରେସନ୍ ରଣବୀରଙ୍କ ବାପା ଜଗଜିତ ସିଂ ଭାବନାନିଙ୍କ ନାମରେ କରାଯାଇଛି। ଏହାର ଡିପୋଜିଟ୍ ବାବଦକୁ ପାଖାପାଖି ୪୫ ଲକ୍ଷ ଟଙ୍କା ଦିଆଯାଇଛି। ଏହି ବିଲ୍ଡିଂରେ ତାଙ୍କୁ ଦୁଇଟି କାର୍ ପାର୍କିଂ ସ୍ଥାନ ମିଳିଛି। ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ପରସ୍ପର ସହ ଡେଟ୍ କରିବା ପରେ ଦୀପିକା ଓ ରଣବୀର ଗତ ବର୍ଷ ଇଟାଲୀରେ ବିବାହ କରିଥିଲେ। ଉଭୟଙ୍କୁ ଅଧିକାଂଶ ସମୟରେ ଏକାଠି ବୁଲିବା ଓ ମସ୍ତି କରୁଥିବା ଦେଖିବାକୁ ମିଳିଥାଏ। ଦୀପିକା ଖୁବ୍ଶୀଘ୍ର ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ରେ ନଜର ଆସିବାକୁ ଯାଉଛନ୍ତି। ଏଥିସହିତ ରଣବୀର ଓ ଦୀପିକା ଉଭୟ କପିଲ ଦେବଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘୮୩’ରେ ମଧ୍ୟ ଏକାଠି ନଜର ଆସିବାକୁ ଯାଉଛନ୍ତି।


