ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବାରିପଦା ମେଡିକାଲ କଲେଜର ଡଃ ବିଜୟ ନାରାୟଣ ରାଉତ, ଆଞ୍ଚଳିକ ଯୁବପରିଷଦ ହାଟଡିହିର ଉପଦ୍ଦେଷ୍ଟା ମନୋଜ ପାତ୍ର, ଆଞ୍ଚଳିକ ଯୁବପରିଷଦ ହାଟଡିହିର ସଭାପତି ଚିନ୍ମୟ କୁମାର ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ଉଦଘାଟନ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାକୁ ହରାଇ ୟୁନାଇଟେଡ ଇଲେଭେନ ବରହମପୁର ସେମିଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଟସ୍‌ଜିତି ୟୁନାଇଟେଡ ଇଲେଭେନ ବରହମପୁରକୁ ବ୍ୟାଟିଂପାଇଁ ଆମନ୍ତ୍ରଣ କରିଥିଲା । ୟୁନାଇଟେଡ ଇଲେଭେନ ବରହମପୁର ୧୯.୪ ଓଭରରେ ୧୦ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ପ୍ରବୀଣ କୁମାର ସର୍ବାଧିକ ୩୨ ବଲରେ ୨ ଚୌକା ୨ ଛକା ବଳରେ ୩୧ ରନ ସଂଗ୍ରହ କରିଥିବାବେଳେ ବୋଲିଙ୍ଗ୍‌ରେ ସନ୍ତେଷ ସେଠୀ ୪ ଓଭରରେ ୧୯ ରନ ବିନିମୟରେ ୨ ଟି ଉଇକେଟ ନେଇଥିଲେ । ଏହାର ଜବାବରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ୨୦ ଓଭରରେ ୯ ଉଇକେଟ ହରାଇ ୧୩୮ ରନ ସଂଗ୍ରହ କରି ପରାସ୍ତ ହୋଇଥିଲେ । ଦଳପକ୍ଷରୁ ବିକ୍ରମ ସାମଲ ୨୩ ବଲରେ ୬ଟି ଛକା ବଳରେ ୪୫ ରନ କରିଥିଲେ । ସନ୍ତେଷ ସେଠୀଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଶାନ୍ତନୁ କୁମାର ରାଉତ ଓ ସଞ୍ଜିବ ବେହେରା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ମଣ୍ଟୁ ଜେନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଗଣେଶ କୁମାର କୁଅଁର,ଜ୍ଞ୍ୟାନରଞ୍ଜନ ଘଡେଇ ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ହଜାର ହଜାର ଦର୍ଶକଏହି ଖେଳକୁ ଉପଭୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବାରିପଦା ମେଡିକାଲ କଲେଜର ଡଃ ବିଜୟ ନାରାୟଣ ରାଉତ, ମନୋଜ ପାତ୍ର, ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ସନ୍ତେଷ ସେଠୀଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ବିତରଣ କରିଥିଲେ । ପଦ୍ମନାଭ ସାମଲ, ଅମିୟ ନାୟକ, ବାବୁଲି ପଟ୍ଟନାୟକ,ବଳରାମ ଜେନା, ଦେବାଶିଷ ବାରିକ, ମାନସ ଜେନା, ପ୍ରଦୀପ ଜେନା, ଭଗବାନ ନାୟକ, ଚାନ୍ଦିଆ ମୁଦୁଲି, ବିପିନି ଯେନା, ବିଜୟ ମଲ୍ଲିକ, ପ୍ରଫୁଲ୍ଲ ସ୍ୱାଇଁ, ସୁଧାଂଶୁ ମଲ୍ଲିକ, ସୀତାରାମ ଜେନା, ପ୍ରତାପ ଦେବତା, ଚଗୁଲୁ ଯେନା, କାହ୍ନା ଜେନା, ହାଡିବନ୍ଧୁ ଭୁୟାଁ, ସତ୍ୟପ୍ରକାଶ ମହଲା, ଜ୍ୟୋତିରଂଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା କାଲି ଗ୍ରୁପ ଏ ର ଦ୍ୱିତୀୟ ମ୍ୟାଚରେ ଛତିଶଗଡ ଫରେଷ୍ଟ୍ ଓ ଫୋର ସି ସମ୍ବଲପୁର ପରଷ୍ପରକୁ ମୁହାଁ ମୁହିଁ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ