ଏଫଟିଆଇଆଇ ପକ୍ଷରୁ ଚଳଚ୍ଚିତ୍ର ସମାଲୋଚନା ପାଠ୍ୟକ୍ରମ ଘୋଷଣା
ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରତିଷ୍ଠାନ (ଏଫଟିଆଇଆଇ), ପୁନେ ଆଉ ଏକ ନୂତନ କ୍ଷେତ୍ରରେ ପ୍ରବେଶ କରିଛି । ଏହି କ୍ରମରେ ଆଜି ଏଫଟିଆଇଆଇ ପକ୍ଷରୁ ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ସମାଲୋଚନା ଏବଂ ସମୀକ୍ଷା କଳା ପାଠ୍ୟକ୍ରମ ଘୋଷଣା କରାଯାଇଛି । ଏହି ୨୦ଦିନିଆ ପାଠ୍ୟକ୍ରମ ଆସନ୍ତା ମେ ୨୮ ତାରିଖ ଠାରୁ ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଭାରତୀୟ ଗଣ ଯୋଗାଯୋଗ ପ୍ରତିଷ୍ଠାନ (ଆଇଆଇଏମସି), ସହଯୋଗରେ ଆୟୋଜନ କରାଯିବ । ଏହି ପାଠ୍ୟକ୍ରମ ସଂପର୍କରେ ବକ୍ତବ୍ୟ ରଖି ଏଫଟିଆଇଆଇ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର କେଁଥୋଲା କହିଛନ୍ତି ଯେ ଚଳଚ୍ଚିତ୍ର ସମାଲୋଚକ, ଚଳଚ୍ଚିତ୍ର ସମୀକ୍ଷକ, ଚଳଚ୍ଚିତ୍ର ବ୍ଲଗର, ଗବେଷକ, ଛାତ୍ରଛାତ୍ରୀ, ଚଳଚ୍ଚିତ୍ର ଶିକ୍ଷାବିତମାନଙ୍କ ପକ୍ଷରୁ ଦୀର୍ଘ ଦିନରୁ ଏହି ଦାବି ରହିଥିଲା । ଏପରିକି ଚଳଚ୍ଚିତ୍ର ପ୍ରତି ସାଧାରଣ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଏଥିପାଇଁ ଦାବି କରି ଆସୁଥିଲେ । ଚଳଚ୍ଚିତ୍ରକୁ କିଭଳି ଭାବେ “ପଢ଼ିବା” ଉଚିତ ଯଦ୍ଦ୍ୱାରା ଏହାକୁ ସଠିକ ଭାବେ ସମୀକ୍ଷା କରାଯାଇପାରିବ । ଏହି ପାଠ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଉପରୋକ୍ତ ପଦ୍ଧତି ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଥିଲେ । ଏହି ପାଠ୍ୟକ୍ରମ ଭୋପାଳ ଭିତିକ ଚଳଚ୍ଚିତ୍ର ନିର୍ମାତା ସୁଶ୍ରୀ ରାଜୁଲା ଶାହାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ସେ ଏଫଟିଆଇଆଇର ପ୍ରାକ୍ତନ ଛାତ୍ରୀ । ଏଫଟିଆଇଆଇରେ ୧୯୯୭ ଠାରୁ ୨୦୦୦ ପର୍ଯ୍ୟନ୍ତ ସୁଶ୍ରୀ ଶାହା ଚଳଚ୍ଚିତ୍ର ନିର୍ଦ୍ଦେଶନା ଶିକ୍ଷାଲାଭ କରିଥିଲେ । ବିଭିନ୍ନ ପ୍ରକାର କଳା, ଚିନ୍ତନ ଶ୍ରେଣୀ ଏବଂ ଚିନ୍ତନ ତଥା ଜନସାଧାରଣଙ୍କ ସହ ଘନିଷ୍ଠ ଭାବେ ଜଡ଼ିତ ହୋଇ କିଭଳି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥାଏ, ଲୋକମାନଙ୍କ କାର୍ଯ୍ୟ ଓ ଦୃଷ୍ଟିଭଙ୍ଗୀକୁ କିଭଳି ଚଳଚ୍ଚିତ୍ରରେ ରୂପ ପ୍ରଦାନ କରାଯାଇଥାଏ ସେ ସମ୍ପର୍କରେ ସୁଶ୍ରୀ ଶାହାଙ୍କର ଦୀର୍ଘ ଅଧ୍ୟୟନ ଓ ଅଭିଜ୍ଞତା ରହିଛି । ଚଳଚ୍ଚିତ୍ର ପ୍ରାକ୍ଟିସ୍ ଏବଂ ଡିଜିଟାଲ ପାର୍ଟସ୍ର କ୍ରମବର୍ଦ୍ଧିଷ୍ଣୁ ସୁଯୋଗ ସମ୍ପର୍କରେ ଅଧ୍ୟୟନ କରିବା ଏବଂ କାର୍ଯ୍ୟ କରିବାରେ ତାଙ୍କର ବିଶେଷ ରୁଚି ରହିଛି । ଏହି ପାଠ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସୁଶ୍ରୀ ଶାହା କହିଲେ ଯେ ଏହାକୁ ଏଭଳି ଭାବେ ଡିଜାଇନ କରାଯାଇଛି ଯଦ୍ଦ୍ୱାରା ଚଳଚ୍ଚିତ୍ର ସମାଲୋଚନା ଶୃଙ୍ଖଳାର ମୌଳିକ ଭିତିଭୂମି ସମ୍ପର୍କରେ ମଧ୍ୟ ବିଦ୍ୟାର୍ଥୀମାନେ ଜ୍ଞାନ ଆହରଣ କରିପାରିବେ । ସେମାନଙ୍କୁ ଏଭଳି ଭାବେ ତାଲିମ ପ୍ରଦାନ କରାଯିବ ଯଦ୍ଦ୍ୱାରା ସେମାନେ ସିନେମାର ନିଗୂଢ଼ ଦର୍ଶକ ହୋଇପାରିବେ । ଏହି ପାଠ୍ୟକ୍ରମ ମଧ୍ୟରେ ସେମାନଙ୍କୁ ସମାଲୋଚନାତ୍ମକ ଦୃଷ୍ଟିକୋଣ ମାଧ୍ୟମରେ ସିନେମା ଇତିହାସରେ ପ୍ରସିଦ୍ଧି ଲାଭ କରିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ଅଧ୍ୟୟନ କରିବାର ଶିକ୍ଷା ପ୍ରଦାନ କରାଯିବ । ଏହି ପାଠ୍ୟକ୍ରମ ଏଫଟିଆଇଆଇ ଅଧୀନରେ ଦେଶବ୍ୟାପୀ ଚଳଚ୍ଚିତ୍ର ଶିକ୍ଷା ଆଉଟରିଚ୍ ପ୍ରୟାସ ଏସକେଆଇଏଫଟି (ସ୍କିଲ୍ିଂ ଇଣ୍ଡିଆ ଇନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ) ଜରିଆରେ ପରିଚାଳନା କରାଯିବ । ଏହା ଅଧୀନରେ ୧୩୫ରୁ ଉଦ୍ଧ୍ୱର୍ ସର୍ଟ ଟର୍ମ କୋର୍ସ ଅନୁଷ୍ଠିତ କରାଯାଇଛି ଯାହାକି ଦେଶର ୩୭ଟି ସହରରେ ଆୟୋଜନ କରାଯାଇଛି ଓ ଏଥିରେ ୫୮୦୦ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି । ଏବେ ଆରମ୍ଭ କରାଯିବାକୁ ଥିବା ନୂତନ ପାଠ୍ୟକ୍ରମ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି ଏବଂ ଏଥିପାଇଁ କୌଣସି ବୟସ ସୀମା ରଖାଯାଇନାହିଁ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ହେଲା ଏପ୍ରିଲ ୨୨, ୨୦୧୯ । ଚୟନ କରାଯାଇଥିବା ଓ ଦିଲ୍ଲୀ ବାହାରୁ ଆସୁଥିବା ଅଂଶଗ୍ରହଣକାରୀମାନଙ୍କ ଅନୁରୋଧ କ୍ରମେ ସେମାନଙ୍କ ରହିବା ବନ୍ଦୋବସ୍ତ କରାଯିବ ।


