ପୂର୍ବତନ ବିଧାୟକ ତଥା ଓଡ଼ିଶା ଗୃହନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତୃ ବିୟୋଗ

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ରଙ୍କ ମାତା କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ଦିନ ୭୮ବର୍ଷ ବୟସରେ ମୃତ୍ୟୁ ଘଟିଛି । ବାଲିପାଟଣା ଗ୍ରାମର ସ୍ୱର୍ଗତ ଜଗନ୍ନାଥ ମିଶ୍ରଙ୍କ ପତ୍ନୀ କାଞ୍ଚନବାଳା ବାଥ୍‌ରୁମ୍‌ରେ ପଡ଼ିଯିବା ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ଅପରାହ୍ନ ୩.୧୫ ମିନିଟ୍ ସମୟରେ ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳେ ତାଙ୍କର ବଡ଼ପୁଅ ଦେବଦର୍ଶୀ ମିଶ୍ର, ମଝିଆଁ ପୁଅ ପ୍ରିୟଦର୍ଶୀ ମିଶ୍ର ଓ ସାନପୁଅ ବିଶ୍ୱଦର୍ଶୀ ମିଶ୍ର, ତିନି ଝିଅଙ୍କ ସମେତ ପ୍ରିୟଦର୍ଶୀଙ୍କ ପତ୍ନୀ ରୋଜାଲିନି ପାଟ୍ଟଶାଣୀ ମିଶ୍ର ଉପସ୍ଥିତ ଥିଲେ । ସ୍ୱର୍ଗତ ଜଗନ୍ନାଥ ମିଶ୍ର ବାଲିପାଟଣା ଅଞ୍ଚଳର ଚଣାହାଟ ହାଇସ୍କୁଲ୍‌ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ ୨ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା । ଦେବଦର୍ଶୀ ଜଣେ ବରିଷ୍ଠ ପ୍ରଫେସର ଭାବରେ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଅଛନ୍ତି । ସ୍ୱର୍ଗତା ମିଶ୍ର ଜଣେ ପରୋପକାରୀ, ଧର୍ମପରାୟଣା ଓ ସମାଜସେବୀ ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିବାରୁ ତାଙ୍କ ମୃତ୍ୟୁରେ ବାଲିପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ହସ୍ପିଟାଲରୁ ତାଙ୍କ ମରଶରୀରକୁ ବାଲିପାଟଣାସ୍ଥିତ ତାଙ୍କ ଗ୍ରାମକୁ ଶେଷ ଦର୍ଶନ ଲାଗି ନିଆଯାଇଥିଲା । ସେଠାରେ ଗ୍ରାମବାସୀ ଓ ବହୁ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ । ଗୁରୁବାର ରାତିରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶବ ସଂସ୍କାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ