ଧଉଳି କଳା ମହାକୁମ୍ଭ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ତୃତୀୟ ଆନ୍ତର୍ଜାତୀୟ ଧଉଳି କଳା ଉତ୍ସବର ଦ୍ୱିତୀୟ ଦିନରେ ୯୦ଜଣ ବିଦେଶୀ ଓ ଭାରତୀୟ ଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଛି ବୃହତ୍ତମ ଚିତ୍ରକଳା ଶିବିର । ବିଶ୍ୱଶାନ୍ତି ବିଷୟ ଆଧାରରେ ଚିତ୍ରଶିଳ୍ପୀମାନେ କ୍ୟାନଭାସରେ ସୁସଜ୍ଜିିତ କରିଥିଲେ ଧଉଳି ପାଦଦେଶକୁ ଯେଉଁଥିରେ ସେମାନେ ନିଜ ଶୈଳୀର ଚିତ୍ରକଳାକୁ କ୍ୟାନଭାସରେ ରୂପାୟିତ କରିଥିଲେ । ଶିବିରକୁ ଓଡ଼ିଶା ଖଦୀ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ବରିଷ୍ଠ ଚିତ୍ରଶିଳ୍ପୀ ଜଗଦିଶ ଚନ୍ଦ୍ର କାନୁନ୍ଗୋ, ଏନଟିପିସିର ଏଡ଼ିସନାଲ ଜେନେରାଲ ମ୍ୟାନେଜର ମଞ୍ଜୁଲ ତିୱାରୀ ଉଦ୍ଘାଟନ କରି ନେପାଳ, ବାଲାଂଦେଶ, କୋରିଆ, ଅଷ୍ଟ୍ରେଲିଆ, ଜାପାନ, ଆମେରିକା ଓ ଭାରତ ଆଦି ଦେଶରୁ ଅଂଶଗ୍ରହଣ କରିଥିବା ଶିଳ୍ପୀମାନଙ୍କ କଳା ମହାକୁମ୍ଭ ହୋଇଛି ବୋଲି ପ୍ରକାଶ କରିଥିଲେ । ଓଡ଼ିଶାରୁ ଗୌରାଙ୍ଗ ବାରିିକି, ପ୍ରବୀର ଦଳାଇ, ଡ. ଚକ୍ରଧର ବେହେରା, ଚନ୍ଦ୍ରଶେଖର ସେଠୀ, ପ୍ରିୟଦର୍ଶିନୀ ମହାନ୍ତି, ଚିନ୍ତାମଣି ବିଶ୍ୱାଳ, ସୁସ୍ମିତା ସାହୁ, ପ୍ରମୋଦ କୁମାର ମହାନ୍ତି, ଚାରୁଚନ୍ଦ୍ର ଦାସ, ମମତା ସାମନ୍ତରାୟ, ପରମେଶ୍ୱର ମେହେର, ମୀନକେତନ ପଟ୍ଟନାୟକ, ପ୍ରଣବ ଅଖଣ୍ଡ ଆଦି ୨୦ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ଆଜୀବନ କଳା ସାଧନ ପାଇଁ କଳା ଐତିହାସିକ ଅଲେଖ ସାହୁ ଓ ନେପାଳର ବରିଷ୍ଠ ଚିତ୍ରଶିଳ୍ପୀ ଭୀମ ପ୍ରସାଦ ସିଂହଙ୍କୁ କଳାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଆନ୍ତର୍ଜାତୀୟ କଳା ଉତ୍ସବରେ ଶିଳ୍ପୀମାନଙ୍କ ଦ୍ୱାରା ଲାଇଫ ପେଣ୍ଟିଙ୍ଗ ଓ ଓଡ଼ିଶାର ବିଭିନ୍ନ ପାରମ୍ପରିକ କଳା ପ୍ରଦର୍ଶନ ସହ ବାଲାଂଦେଶ ଓ ପଶ୍ଚିମବଙ୍ଗର ପଟ୍ଟଚିତ୍ର ମଧ୍ୟ ସଙ୍ଗୀତ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ।