ନିରାମୟ ଯୋଜନାରେ ମିଳୁନି ସବୁ ଔଷଧ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ସାଧାରଣ ରୋଗୀଙ୍କ ଦୁର୍ଦ୍ଦଶା ଦୂର କରିବା ନିମନ୍ତେ ରାଜ୍ୟ ସରକାର ୨୦୧୫ ମସିହାରେ ନିରାମୟ ନାମରେ ଏକ ଯୋଜନା ଆରମ୍ଭ କରିଥିଲେ । ଏହାର ଲକ୍ଷ୍ୟ ଥିଲା ରାଜ୍ୟର ସମସ୍ତ ସାଧାରଣ ରୋଗୀ ମାନେ ମାଗଣାରେ ଆବଶ୍ୟକୀୟ ଔଷଧ ପାଇପାରିବେ । ଏହି ଯୋଜନା ପାଇଁ ପ୍ରାୟ ୭୫୦ ପ୍ରକାରର ଔଷଧ ଚିହ୍ନଟ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଉକ୍ତ ଯୋଜନାରେ ୧୯୯ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ପରବର୍ତି ସମୟରେ ୨୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାକୁ ବଢାଯାଇଥିଲା । ଗୋଟିଏ ଲକ୍ଷ୍ୟ ଥିଲା ସାଧାରଣ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରିବା । କିନ୍ତୁ ବର୍ତମାନ ପରିସ୍ଥିତିରେ ସାଧାରଣ ରୋଗୀଙ୍କ ଅଭିଯୋଗ ହେଉଛି ଏହି ଯୋଜନା ଦ୍ୱାରା ଠିକ୍ ଭାବେ ଔଷଧ ମିଳି ପାରୁନାହିଁ । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଂଜିଳିକାଟୁ ପୌରାଂଚଳରେ ଅବସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାମାଂଚଳର ରୋଗୀ ଚିକିତ୍ସା ସକାଶେ ଆସିଥାନ୍ତି । ଦୈନିକ ୪ଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ମାତ୍ର ଗୋଟିଏ କାଉଂଟର ବିଶିଷ୍ଟ ସରକାରୀ ନିରାମୟ ଯୋଜନା ଔଷଧ ବିତରଣ କେନ୍ଦ୍ର ରହିଛି । ନିରାମୟ ଯୋଜନାରୁ ଔଷଧ ପାଇବା ସକାଶେ ରୋଗୀ ମାନଙ୍କ ବହୁ ସମୟ ଧରି ଲମ୍ବା ଲାଇନ ଲାଗି ରହୁଥିବାର ଦେଖିବାକୁ ମିଳୁଛି । ଉକ୍ତ କେନ୍ଦ୍ରରେ ପ୍ରାୟତଃ ସବୁ ସମୟରେ ସମସ୍ତ ଔଷଧ ମିଳୁନଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଏପରିକି ବହୁ ସମୟରେ ଅତ୍ୟାବଶ୍ୟକ ଯନ୍ତ୍ରଣା ଉପଶମ ଇଂଜେକସନ୍ ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରହିଥିବା ସରକାରୀ ନିରାମୟ ଯୋଜନା ଔଷଧ ବିତରଣ କେନ୍ଦ୍ରରେ ୧୦୦ରୁ ୧୫୦ ପ୍ରକାରର ଔଷଧ ଉପଲବ୍ଧ ରହିଥିବା ଜଣାପଡ଼ିଛି । ଗୋଟିଏ ପଟେ ଡ଼ାକ୍ତରଙ୍କୁ ପ୍ରେସିକ୍ୟୁସନରେ ବାହାରୁ ଔଷଧ କଣିବା ପାଇଁ ଲେଖିବା ପାଇଁ ତାଗିଦ କରାଯାଇଥିବା ବେଳେ ଅନ୍ୟପଟେ ସରକାରୀ ନିରାମୟ ଯୋଜନା ଔଷଧ ବିତରଣ କେନ୍ଦ୍ରରେ ସମସ୍ତ ଔଷଧ ଉପଲବ୍ଧ ନଥିବାରୁ ରୋଗୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି । ଏଥି ପାଇଁ ବହୁ ସମୟରେ ଫାର୍ମାସିଷ୍ଟଙ୍କ ସହ ରୋଗୀଙ୍କ ମଧ୍ୟରେ ଉଚ୍ଚବାଚ ହେଉଥିବାର ଦେଖିବାକୁ ମିଳୁଛି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ବିଜୟ ପାଣିଗ୍ରାହୀଙ୍କ ସହ ଯୋଗଯୋଗ କରିବାରୁ ସେ କହିଲେ ଏ ନେଇ ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ କେବେବି ଦୃଷ୍ଟି ଆକର୍ଷଣ କରାଯାଇନାହିଁ, ଘଟଣା ପ୍ରତି ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।


