ନିର୍ଭୟା ମାମଲା : ୨୦ରେ ପବନର ଶୁଣାଣି
ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ଜଣଙ୍କ ପରେ ଜଣେ ଦୋଷୀ ଫାଶୀଦଣ୍ଡରୁ ବର୍ତ୍ତିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଆଇନର ସମସ୍ତ ଗଳିକନ୍ଦିରୁ ମୁକୁଳିବା ଲାଗି ନିର୍ଭୟା ମାମଲାର ଦୋଷୀମାନେ ପ୍ରୟାସ ଜାରି ରଖିଛନ୍ତି। ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ପବନ କହିଥିଲେ ଘଟଣା ସମୟରେ ଅର୍ଥାତ୍ ୨୦୧୨ରେ ସେ ନାବାଳକ ଥିଲେ। ଏହା ସେ ହାଇକୋର୍ଟରେ ଦର୍ଶାଇଥିଲେ ମଧ୍ୟ କୋର୍ଟ ଏହା ଶୁଣି ନ ଥିବା ସେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ତେବେ ୨୦୧୨ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଚଳନ୍ତା ବସରେ ଗଣବଳାତ୍କାର କରିବା ଘଟଣା ସେତେବେଳେ ସମଗ୍ର ରାଜଧାନୀକୁ ଦୋହଲାଇ ଦେଇଥିଲା। ଦୀର୍ଘ ୭ ବର୍ଷ ତଳର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ମୁକେଶ କୁମାର ସିଂ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରି ଦେଇଛନ୍ତି। ଫଳରେ କୋର୍ଟଙ୍କ ରାୟ ଅନୁଯାୟୀ ସମସ୍ତ ୪ ଦୋଷୀଙ୍କୁ ଏକ ପ୍ରକାର ଫାଶୀ ଦେବା ନିଶ୍ଚିତ ହୋଇଯାଇଛି। ଏମିତିକି କୋର୍ଟ ପକ୍ଷରୁ ଫାଶୀ ଦେବାକୁ ଫେବୃୟାରୀ ୧ ସକାଳ ୬ଟା ବୋଲି ସ୍ଥିର ମଧ୍ୟ କରାଯାଇଛି।


