ମହଙ୍ଗା ପଡ଼ିଲା ଫେସବୁକରେ ଫଲୋଅର୍ସ ବଢିବା
ଜୟପୁର : ଦୁନିଆର ପ୍ରାୟ ଅଧିକାଂଶ ପୁରୁଷ ଚାହିଁଥାଆନ୍ତି ମୋର ସ୍ତ୍ରୀ କେବଳ ମୋର ହୋଇ ଥାଉ। ତା’ ଉପରେ ମୋ ଛଡ଼ା ଆଉ କାହାର ନଜର ନ ପଡ଼ୁ। ଯଦି ତା’ ଉପରେ ଆଉ କାହାର ନଜର ଲାଗେ, ତା’କୁ ଆଉ କେହି ପ୍ରଶଂସା କରନ୍ତି, ତେବେ ସେ ଅସହ୍ୟ ହୋଇଉଠେ। ସେ ଏମିତି କିଛି କାମ କରିବସେ, ଯାହା ଅନ୍ୟମାନଙ୍କ ଆଖି ତରାଟିଦିଏ। ଏମିତି ଏକ ଘଟଣା ଘଟିଛି ଜୟପୁରରେ। ଜଣେ ମହିଳାଙ୍କୁ ସୋସିଆଲ୍ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିବା ବେଶ୍ ମହଙ୍ଗା ପଡିଛି। ଫେସ୍ବୁକ୍ରେ ଫଲୋଅର୍ସଙ୍କ ସଂଖ୍ୟା ବଢିବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି ।
ମିଳିଥିବା ସୂଚନା ଅନୁସାରେ ଫେସ୍ବୁକ୍ରେ ମହିଳାଙ୍କର ୬୦୦୦ରୁ ଅଧିକ ଫଲୋଅର୍ସ ରହିଥିବାବେଳେ ସେ ଅଧିକାଂଶ ସମୟ ମୋବାଇଲ୍ରେ ବ୍ୟସ୍ତ ରହୁଥିଲେ । ମହିଳାଙ୍କ ଏହି ଅଭ୍ୟାସରେ ସ୍ବାମୀଜଣକ ଅତିଷ୍ଠ ହୋଇ ତାଙ୍କର ହତ୍ୟା କରିଛନ୍ତି । ଏହି ଘଟଣାଟି ଜୟପୁରର ଆମେର ଥାନା ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରୁ ମହିଳାଙ୍କ ରକ୍ତ ଭିଜା ଶବ ମିଳିଛି । ପୋଲିସ୍ ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛନ୍ତି । ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିଚୟ ଲୁଚାଇବା ପାଇଁ ଇଟାରେ ତାଙ୍କ ମୁହଁ ଓ ମୁଣ୍ଡକୁ ବିଭତ୍ସ କରିଦେଇଥିଲେ । ଦୁଇ ବର୍ଷ ପୂର୍ବେ ଏହି ଦୁଇଜଣ ଗାଜିଆବାଦରେ ଆର୍ଯ୍ୟସମାଜରେ ବିବାହ କରିଥିବାବେଳେ ତିନି ମାସର ଏକ ପୁତ୍ର ମଧ୍ୟ ରହିଛି । ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀଜଣଙ୍କ ଏପରି ବିଭତ୍ସ କାଣ୍ଡ ଘଟାଇଛନ୍ତି । ସୋସିଆଲ ମିଡିଆରେ ମହିଳା ଜଣଙ୍କ ନିଜର ଫଟୋ ଓ ଭିଡିଓ ସେୟାର କରୁଥିବାବେଳେ ତାଙ୍କର ଅତ୍ୟଧିକ ଫୋଲଅର୍ସ ରହିଥିଲେ । ଏହାକୁ ନେଇ ମହିଳାଙ୍କ ସ୍ବାମୀ ଜଣଙ୍କ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ଯାହାର ଫଳ ସ୍ବରୂପ ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ । ମୃତା ମହିଳାଙ୍କ ନାମ ନୈନା ମଙ୍ଗଲାନି (୨୨) ଓ ହତ୍ୟାକାରୀ ସ୍ବାମୀର ନାମ ଆୟାଜ୍ ଅହମ୍ମଦ ଆନସାରି (୨୬) ବୋଲି ଜଣାପଡ଼ିଛି। ଉଭୟଙ୍କ ଧର୍ମ ଭିନ୍ନ ଭିନ୍ନ ଥିଲା। ଦୁହେଁ ପ୍ରେମ ବିବାହ କରିଥିଲେ।


