ଟାଟା ଷ୍ଟିଲ ପକ୍ଷରୁ ଜୋଡା ଯୁବବର୍ଗଙ୍କ ପାଇଁ ବାହ୍ୟନେତୃତ୍ୱ ଶିବିର
ଜୋଡା- ଗ୍ରାମାଚଂଳ ଯୁବକଙ୍କ ମଧ୍ୟରେ ନେତୃତ୍ୱର ବୃଦ୍ଧି ଓ ଅନ୍ତର୍ନିହିତ ଗୁଣର ବିକାଶ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ରୁରାଲ ଡେଭେଲପମେଂଟ ସୋସାଇଟି(ଟିଏସଆରଡିଏସ) ପକ୍ଷରୁ ଏକ ବାହ୍ୟ ନେତୃତ୍ୱ ଶିବିର ଅନୁଷ୍ଠିତ ହେବ । ଚଳିତ ମାସ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାମସେଦପୁରର ତୁମୁଙ୍ଗଠାରେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଶିବିରରେ ଜୋଡା, ଖଣ୍ଡବଣ୍ଡ, ଗୁରୁଡା ଓ ଜୁରୁଡିର ୩୯ଜଣ ଯୁବକ ଅଂଶଗ୍ରହଣ କରିବେ । ଶ୍ରୀ ପ୍ରଶାନ୍ତ କୁମାର ନନ୍ଦ, ଏଚଆରଏମ ମୁଖ୍ୟ, ଜୋଡା ଟାଟା ଷ୍ଟିଲ ୩୯ଜଣିଆ ଦଳର ଯାତ୍ରାକୁ ପତାକା ଦେଖାଇ ସୋମବାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିସିଆରଡିଏସ ୟୁନିଟ ମୁଖ୍ୟ ଶ୍ରୀ ତନ୍ମୟ କର ଉପସ୍ଥିତ ଥିଲେ । ଏହି ଶିବିର
ସେମାନଙ୍କ ନେତୃତ୍ୱ ବିକାଶ ଦିଗରେ କିପରି ସହାୟକ ହୋଇପାରିବ ସେ ନେଇ ଦଳରେ ସାମିଲ ହୋଇଥିବା ଯୁବକଙ୍କୁ ଶ୍ରୀ ନନ୍ଦ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
ଏହି ଶିବିରରେ ଯୋଗ ଦେଇଥିବା ଯୁବକଙ୍କୁ ବିଭିନ୍ନ ପ୍ରକାର କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ । ବିଶେଷ କରି ପର୍ବତାରୋହଣ, ବାଧା ଦୌଡ, ଫ୍ଲାଇଂ ଫକ୍ସ, ରାପଲିଂ, ନୌଚାଳନା କୌଶଳ, ପାହାଡ ଓ ଗୁମ୍ଫା ଯାତ୍ରାକୁ ଏଥିରେ ସାମିଲ କରାଯାଇଛି । ଏହାଦ୍ୱାରା ଯୁବକଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ଓ ଦଳଗତ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଟାଟା ଷ୍ଟିଲ ଆଡଭେଚଂର ଫାଉଣ୍ଡେସନ (ଟିଏସଏଏଫ)ର ଅଭିଜ୍ଞ ତାଲିମଦାତାଙ୍କ ଦ୍ୱାରା ସମ୍ପାଦିତ ହେବ । ଏଠାରେ ସୂଚନାଯୋଗ୍ୟ ଯେ ଟାଟା ଷ୍ଟିଲ ପକ୍ଷରୁ ଏପରି ବାହ୍ୟ ନେତୃତ୍ୱ ଶିବିରମାନ ନିୟମିତ ଅନ୍ତରାଳରେ ଆୟୋଜିତ ହୋଇଆସୁଛି । ଗତ ଆର୍ଥିକ ବର୍ଷରେ ଆୟୋଜିତ ଏପରି ଶିବିର ମାଧ୍ୟମରେ ୮୦ରୁ ଅଧିକ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି ।


