ବରଗଡ଼ରେ ହେବ କ୍ୟାନସର ହସ୍ପିଟାଲ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ୭୦ କୋଟି ଟଙ୍କର ୭ଟି ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହାସହ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ।
ବରଗଡ଼ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ କରିଥିଲେ । ୬ ମହଲା ବିଶିଷ୍ଟ ଏହି ନୂତନ କୋଠା ୩୦୦ ଶଯ୍ୟା ବିଶିଷ୍ଟ। ଏଥିପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବରଗଡ଼ରେ ଏକ କର୍କଟ ରୋଗ ଚିକିତ୍ସାଳୟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ମଧ୍ୟରେ ବରଗଡ଼ରେ ଏକ ହାଇଲେଭଲ ସେତୁ, ଆଇସିଆଇସିଆଇ ବ୍ୟାଙ୍କର ୧୫୦ ତମ ଶାଖା ବିଜେପୁରରେ ଏବଂ ବରଗଡ଼ରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ସୁଶାନ୍ତ ସିଂହ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକଗଣ ଉପସ୍ଥିତ ଥିଲେ ।


