ସାଧାରଣତନ୍ତ୍ର ଦିବସ : ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ପତାକା ଉତ୍ତୋଳନ କରିବେ ନାହିଁ। ହେଲେ ଭୁବନେଶ୍ବରରେ ରାଜ୍ୟପାଳଙ୍କ ଦ୍ବାରା ହେବାକୁ ଥିବା ପତାକା ଉତ୍ତୋଳନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏନେଇ ଗୁରୁବାର ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣତଃ ଗଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ ପତାକା ଉତ୍ତୋଳନ ଓ ପାରେଡ ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଥାଏ। ସେଥିରେ ନିୟମ ଅନୁସାରେ ରାଜ୍ୟପାଳ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ପାରେଡରେ ଅଭିବାଦନ ଗ୍ରହଣ କରିଥାନ୍ତି। ସେହିଦିନ ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ କଟକ ବାରବାଟୀରେ ପତାକା ଉତ୍ତୋଳନ କରିବା ସହିତ ପାରେଡରେ ଅଭିବାଦନ ଗ୍ରହଣ କରନ୍ତି। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ କରାଯାଇଛି। ପ୍ରଥମ ଥର ପାଇଁ ରାଜ୍ୟପାଳଙ୍କ ପତାକା ଉତ୍ତୋଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ।


