ଛାତ୍ରଙ୍କ ବୁଦ୍ଧି ଓ ସାହସ ଯୋଗୁଁ ଦୁର୍ଘଟଣାରେ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଛାତ୍ର ନିଜର ବୁଦ୍ଧି ଓ ସାହସ ଯୋଗୁଁ ନିଜ ଜୀବନ ବଞ୍ଚାଇ ଥିବା ସୂଚନା ମିଳିଛି. ଦୁର୍ଘଟଣା ଯୋଗୁଁ ପେଟରେ ଗଭୀର ଆଘାତ ଲାଗି ଅନ୍ତଃନଳୀ ବାହାରକୁ ବାହାରିଯାଇଥିଲେ ମଧ୍ୟ ତାହାକୁ ସ୍କୁଲ ୟୁନିଫର୍ମ ସାର୍ଟରେ ଜାବୁଡ଼ି ଧରି ପ୍ରାୟ ୩ କିଲୋମିଟର ଚାଲି ଘରେ ପହଞ୍ଚିଥିଲେ। ପରେ ବଡ଼ଗଡ଼ ଡାକ୍ତରଖାନା ଦେଇ ବ୍ରହ୍ମପୁର ଏମ୍କେସିଜି ହସ୍‌ପିଟାଲରେ ପହଞ୍ଚି ଚିକିତ୍ସା ପରେ ନୂଆ ଜୀବନ ପାଇଛନ୍ତି ଛାତ୍ର ଚିନୁ ମଲ୍ଲିକ। ଘଟଣାରୁ ପ୍ରକାଶ, ଚିନୁ ଗଜପତି ଜିଲ୍ଲା ମୋହନା ବ୍ଳକ ଜରଭ ପଞ୍ଚାୟତ ବାଲିପଦର ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର । ତାଙ୍କ ବୟସ 11 ବର୍ଷ ଏବଂ ଘର ଗଞ୍ଜାମ ଜିଲ୍ଲା ଧରାକୋଟ ବୃକ ତାନାର୍ଜିପଲ୍ଲୀ ଗ୍ରାମରେ। ଗତ ସୋମବାର ଦିନ ସେ ସାଇକେଲରେ ସ୍କୁଲ ଯାଉଥିବାବେଳେ ପାହାଡ଼ିଆ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ପେଟରେ ଗଭୀର ଆଘାତ ଯୋଗୁଁ ଅନ୍ତଃନଳୀ ବାହାରକୁ ବାହାରି ଆସିଥିଲା। ତଥାପି ସେ ଭୟଭୀତ ନହୋଇ ନିଜ ସାଇକେଲ ଛାଡ଼ି ନିଜ ବୁଦ୍ଧି ଓ ସାହସକୁ ମୁଖ୍ୟ କରି ଅନ୍ତଃନଳୀକୁ ସାର୍ଟରେ ଧରି ଚାଲିଚାଲି ଘରେ ପହଞ୍ଚିଥିଲେ। ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା । ପରିବାର ଲୋକେ ଚିନୁଙ୍କୁ ବାଇକ୍‌ରେ ପ୍ରାୟ ୧୦ କିଲୋମିଟର ଦୂର ବଡ଼ଗଡ଼ ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍‌ସ ଯୋଗେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍‌ପିଟାଲ୍‌କୁ ନିଆଯାଇଥିଲା। ଏମକେସିଜିରେ ଶିଶୁ ଶଲ୍ୟ ବିଭାଗରେ ଚିନ୍ହଙ୍କ ଚିକିତ୍ସା କରାଯାଇଥିଲା। ବାହାରକୁ ବାହାରି ଆସିଥିବା ଅନ୍ତଃନଳୀକୁ ପୁଣି ପେଟ ଭିତରେ ରଖୁବା ସହ ଆକ୍ରାନ୍ତ ଅଂଶର ଚିକିତ୍ସା କରାଯାଇଥିଲା। ଅଧ‌ିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ରକ୍ତ ମଧ୍ଯ ଦିଆଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟାର ଅସ୍ତ୍ରୋପଚାର ପରେ ଚିନୁଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରିଥିବା ଜଣାପଡ଼ିଛି। ଶିଶୁ ଶଲ୍ୟ ବିଭାଗର ଡାକ୍ତର ମାନସ ରଞ୍ଜନ ଦାସଙ୍କ କହିବାନୁସାରେ, ଚିନୁଙ୍କ ସାହସ ଓ ତାଙ୍କ ବୁଦ୍ଧି ଜୀବନ ରକ୍ଷାରେ ବଡ଼ ଭୂମିକା ନେଇଛି। ଚିନୁଙ୍କ ଏହି ସାହସିକତାକୁ ନେଇ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ