ଏଆଇକେଏମଏସର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ
ଗୁଣପୁର(ୱାଇ ଏନ ଏସ): ଗତକାଲି ଠାରୁ ସ୍ଥାନୀୟ ଟାଉନହଲ୍ ଠାରେ ଚାଲିଥିବା ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ ହୋଇ ଯାଇଛି । ଆଜି ଦ୍ଵିତୀୟ ଦିବସରେ ସଂଗଠନର ସାଂଗଠନିକ ସମୀକ୍ଷା ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସାଂଗଠନିକ ରିପୋର୍ଟକୁ ଆଗତ କରି ରାଜ୍ୟରେ ସଂଗଠନର ସ୍ଥିତି ତଥା କାର୍ଯ୍ୟକଳାପର ସବିଶେଷ ଆଲୋଚନା କରିଥିଲେ । ସମ୍ପାଦକଙ୍କ ରିପୋର୍ଟ ଉପରେ ସମ୍ମିଳନୀରେ ଉପସ୍ଥିତ ୧୬ ଜଣ ପ୍ରତିନିଧି ନିଜ ନିଜର ମତ ରଖିଥିଲେ । ଏହାପରେ ଆଗାମୀ ଦିନରେ ସଂଗଠନକୁ ପରିଚାଳନା କରିବା ପାଇଁ ଏକ ଏଗାର ଜଣିଆ ରାଜ୍ୟ କମିଟି ଗଠନ କରାଯାଇଥିଲା । ସଂଗଠନର ରାଜ୍ୟ ସଭାପତି ଭାବେ କେଦାର ଶବର, ପ୍ରତାପ ନାୟକ ସମ୍ପାଦକ, କୁଶନାଥ ପ୍ରଧାନ ଉପସଭାପତି ଓ ସୁବାଷ କୁଲେସିକା ସହ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଆସନ୍ତା ସେପ୍ଟେମ୍ବର ୨୮,୨୯ ଓ ୩୦ ତିନି ଧରି ତେଲେଙ୍ଗାନାର ଖମ୍ମାମ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏଆଇକେଏମଏସର ଚତୁର୍ଥ ସର୍ବଭାରତୀୟ ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ ରାଜ୍ୟରୁ ୩୧ ଜଣ ପ୍ରତିନିଧିଙ୍କୁ ଚୟନ କରାଯାଇଥିଲା ।
କେନ୍ଦ୍ର ସରକାର ବଡ କମ୍ପାନୀଙ୍କ ସ୍ଵାର୍ଥରେ ଖଣି ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ – ୧୯୫୭ ର ସଂଶୋଧନ କରି ଦେଶର ଖଣିଜ ସମ୍ପଦ ଗଚ୍ଛିତ ଥିବା ଜମି, ଟିକସ ପକାଇବାର ଅଧିକାରକୁ ଯେଉଁଭଳି ଛଡେଇ ନେଇ ଅବାଧ ଖଣି ଖନନର ରାସ୍ତା ଖୋଲିଛନ୍ତି, ତାହା ଆଗାମୀ ଦିନରେ ଓଡିଶା ସମେତ ସମସ୍ତ ଖଣି ଥିବା ରାଜ୍ୟର ଖଣିଜ ସମ୍ପଦକୁ ସମାପ୍ତ କରିଦେବ ଓ ଲକ୍ଷ ଲକ୍ଷ ସଂଖ୍ୟାରେ ଆଦିବାସୀ ଓ ଅନ୍ୟ ଗ୍ରାମୀଣ ଲୋକଙ୍କୁ ବିସ୍ଥାପିତ କରିବ । ଠିକ ସେହିପରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରୀ ଚିଠିରେ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜଙ୍ଗଲ ଜମିକୁ ଶିଳ୍ପ କାରଖାନାକୁ ଦେବା ବେଳେ ସ୍ଥାନୀୟ ଗ୍ରାମସଭାର ଅନୁମତିର ଆବଶ୍ୟକ ନାହିଁ ବୋଲି ଯାହା କହିଛନ୍ତି, ତାହା ସମ୍ଵିଧାନ ଓ ଆଦିବାସୀ ବିରୋଧୀ ଅଟେ। ରାଜ୍ୟରେ ପୁଞ୍ଜିନିବେଶ ନାଁରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ବୁଲି କମ୍ପାନୀମାନଙ୍କୁ ଡାକି ବିକାଶ ନାଁରେ ଯେଉଁ ଭଳି ଖଣି ନିଲାମ କରିବା ସହ କମ୍ପାନୀଙ୍କ ମାଲ୍ ପରିବହନ ପାଇଁ ଜନଗଣଙ୍କ ଟିକସ ଅର୍ଥରେ ଯେଉଁଭଳି ଚାରି ଓ ଛଅ ଥାକିଆ ଚଉଡା ରାସ୍ତା ଓ ଅର୍ଥନୈତିକ କରିଡର ନିର୍ମାଣ ପାଇଁ ଘୋଷଣା କରୁଛନ୍ତି, ତାହା ରାୟଗଡା ସମେତ ସମଗ୍ର ଦକ୍ଷିଣ ଓଡିଶାର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା, ଜମି, ଜଙ୍ଗଲ ଓ ପରିବେଶକୁ ଧ୍ଵଂସ କରିଦେବ ବୋଲି ସମ୍ମିଳନୀରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ମିଥ୍ୟା କେସରେ ଗିରଫ ନିୟମଗିରି ଆନ୍ଦୋଳନର ନେତା ଲଦ ସିକକାଙ୍କୁ ତୁରନ୍ତ ବିନା ସର୍ତ୍ତରେ ଖଲାସ କରିବାକୁ ଦାବି କରାଯାଇଥିଲା । ଉପରୋକ୍ତ ପ୍ରସଙ୍ଗ ନେଇ ଆଗାମୀ ଦିନରେ ରାଜ୍ୟରେ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ଘୋଷଣା କରାଯାଇଥିଲା ।


