ସିବିଏସଇ ଦଶମ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଆଲିଶା ବିଶ୍ୱାଳ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତ ତେଂଟୋଇ ଗ୍ରାମର ଝିଅ ଆଲିଶା ବିଶ୍ୱାଳ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି। ସେ ସର୍ବମୋଟ ୫ଶହ ମାର୍କରୁ ୫ଶହ ମାର୍କ ରଖିଛନ୍ତି। ନିଜର ଅଧ୍ୟବସାୟ,କଠିନ ପରିଶ୍ରମ ,ନିଷ୍ଠା ଦ୍ୱାରା ସେ କୃତିତ୍ୱ ଅର୍ଜନ କରିଥିବା କହିଛନ୍ତି। ପରୀକ୍ଷା ସମୟରେ ପରିକ୍ଷାର୍ଥୀ ମାନେ ନିଜକୁ ପ୍ରସ୍ତୁତ କରିବା ଅପେକ୍ଷା ପୂର୍ବରୁ କିଛି କିଛି ସମୟ ଦେଇ ନିଜକୁ ପ୍ରସ୍ତୁତ କଲେ ଜୀବନରେ ସଫଳତା ପାଇ ପାରିବେ ବୋଲି ସେ କହିଛନ୍ତି। ଆଲିଶା ଭୂବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅଟନ୍ତି। ଆଲିଶାଙ୍କ ବାପା ଡକ୍ଟର ସୁଦର୍ଶନ ବିଶ୍ୱାଳ ଓଡିଶାର ଅତିରିକ୍ତ ଡ୍ରଗସ କଂଟ୍ରୋଲର ଭାବେ କାର୍ଯ୍ୟ କରୁଥିବା ବେଳେ ଓ ମାତା ସୌଦାମିନୀ ମଲ୍ଲିକ ବ୍ଲଡ ବ୍ୟାଙ୍କରେ କ୍ୱାଲିଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଆଲିଶାଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସ ଆକାଉଂଟରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆଲିଶା ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ଜନସେବା କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତମାନ ଠାରୁ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି।


