ବ୍ଲକ କାର୍ଯ୍ୟାଳୟରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ  ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ ବଢ଼ିଯାଇଛି। କାର୍ଯ୍ୟାଳୟରେ ପ୍ରତି ସପ୍ତାହର ବୁଧବାର ଓ ଗୁରୁବାର ୨ ଦିନ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ବିବାହ ପଞ୍ଜିକରଣ ଅଧିକାରୀ ଭାବେ ବ୍ଲକର ଅତିରିକ୍ତ ବିଡ଼ିଓ ଉମେଶ ଚନ୍ଦ୍ର ସେଠୀ ନିଯୁକ୍ତି ହୋଇଛନ୍ତି। ପଞ୍ଜୀକୃତ ଶ୍ରମିକ ମାନେ ବିବାହ କଲେ ଜିଲା ଶ୍ରମ ବିଭାଗ ପକ୍ଷରୁ  ୫୦ ହଜାର ଟଙ୍କା ମିଳୁଥିବା ଯୋଗୁଁ ଦିନକୁ ଦିନ ବ୍ଲକରେ ବିବାହ ପଞ୍ଜିକରଣ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ ହେଉଥିବା ଯୋଗୁଁ ସାନଖେମୁଣ୍ଡି ‘କୁକୁଡାଖଣ୍ଡି ଓ ଚିକିଟି ବ୍ଲକ ଅଧିନ ବିଭିନ୍ନ ଗ୍ରାମାଞ୍ଚଳ ର ବହୁ ସଂଖ୍ୟକ ମହିଳା ପୁରୁଷ  ଏହି ବ୍ଲକ କାର୍ଯ୍ୟାଳୟକୁ ବିବାହ ପଞ୍ଜିକରଣ ପାଇଁ ଦଲାଲ ମାନଙ୍କ ମାଧ୍ୟମରେ ଆସି ବିବାହ ପଞ୍ଜିକରଣ କରୁଛନ୍ତି। ଏଥି ନିମନ୍ତେ ସେମାନଙ୍କୁ ୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏପରିକି ୨/୩ ଟି ଛୁଆଥିବା ବୟସ୍କା ମହିଳା ମାନେ ମଧ୍ୟ ଶ୍ରମ ବିଭାଗ ଠାରୁ ଟଙ୍କା ପାଇବା ଆଶାରେ ଅଳ୍ପଦିନ ପୂର୍ବରୁ ବିବାହ କରିଥିବା ବିବାହ ନିମନ୍ତ୍ରଣ ପତ୍ର  ଛପାଇ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ସତ୍ୟପାଠ ଦାଖଲ କରିବା ପରେ ସେମାନଙ୍କୁ  ବିବାହ ପଞ୍ଜିକରଣ ସାର୍ଟିଫିକେଟ ମିଳିଯାଉଛି। । ଗ୍ରାମାଞ୍ଚଳରୁ ଆସୁଥିବା ଅଶିକ୍ଷିତ ମହିଳା ମାନଙ୍କ ଠାରୁ  ବିବାହ ପଞ୍ଜିକରଣ ସାର୍ଟିଫିକେଟ କରାଇଦେବି କହି ୪ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇଛି।ଏନେଇ ବିବାହ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ବିଡ଼ିଓ ଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗ ନିରାଧାର। ନିର୍ଦ୍ଧିଷ୍ଟ ଅଭିଯୋଗ ମିଳିଲେ ତଦନ୍ତ କରାଯିବ। ବିବାହ ପଞ୍ଜିକରଣ ନିମନ୍ତେ ଅନଲାଇନ୍ ରେ ଆବେଦନକାରୀ ସରକାରୀ ଦେୟ ଦାଖଲ କରି ରସିଦ ପ୍ରଦାନ କରୁଛନ୍ତି। ୨୦ ବର୍ଷ ରୁ ଉର୍ଦ୍ଧ୍ବ ଆବେଦନକାରୀ ଙ୍କ ସମ୍ପର୍କରେ କ୍ଷେତ୍ରୀୟ ତଦନ୍ତ କରାଯିବା ପରେ ପଞ୍ଜିକରଣ କରାଯାଉଛି।କୌଣସି ଦଲାଲ ଆବେଦନକାରୀ ଙ୍କ ଠାରୁ ଅର୍ଥ ଆଦାୟ କରିବା ତାଙ୍କ ଦୃଷ୍ଟିକୁ ଆସିନାହିଁ।ପଞ୍ଜିକରଣ ନୀତି ନିୟମ ଅନୁସାରେ ଆବେଦନକାରୀ ପ୍ରଦାନ କରିଥିବା ସମସ୍ତ ନଥିପତ୍ର ଯାଞ୍ଚ କରାଯିବା ସହ ଉପସ୍ଥିତ ସାକ୍ଷ୍ୟ ମାନଙ୍କ ବୟାନ ନିଆଯିବା ପରେ ସାର୍ଟିଫିକେଟ ପ୍ରଦାନ କରାଯାଉଥିବା ସେ କହିଛନ୍ତି।ପ୍ରାୟତଃ କିଛି ଆଇନଜୀବି ଆବେଦନକାରୀ ମାନଙ୍କ ସହ ଅଫିସ ଆସି ସେମାନଙ୍କ ଦରଖାସ୍ତ ଦାଖଲ କରୁଛନ୍ତି।ତେଣୁ କୌଣସି ଆବେଦନକାରୀ ଙ୍କ ଠାରୁ ଅର୍ଥ ଆଦାୟ କରାଯିବା ର ପ୍ରଶ୍ନ ଉଠୁନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ