୯ ଦଫା ଦାବି ନେଇ ଆଶାକର୍ମୀ ସଂଘର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର (ଓ୍ବାଇଏନଏସ) : ଭାରତୀୟ ମଜଦୁର ସଂଘ ଅନୁମୋଦିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ୯ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘେରାଉ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାକର୍ମୀଙ୍କ କର୍ମଚାରୀ ମାନ୍ୟତା ପ୍ରଦାନ ସହିତ ସର୍ବନିମ୍ନ ଦରମା ୧୮୦୦୦ ଟଙ୍କା, ଇ.ଏସ୍.ଆଇ. ଏବଂ ଇ.ପି.ଏଫ୍.ଓ. ଅନ୍ତର୍ଗତ ପଞ୍ଜୀକୃତ କରି ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ପ୍ରତିମାସ ୧୦ ତାରିଖରେ ଦରମା ପ୍ରଦାନ ସୁନିଶ୍ଚିତ କରିବା । ଏହା ବ୍ୟତୀତ ସେମାନଙ୍କ ଉପରେ ହେଉଥିବା ଦୁର୍ବ୍ୟବହାର ଓ ଅସଦାଚରଣ ଉପରେ କାର୍ଯ୍ୟାନୁଷ୍ଠାନ, ପ୍ରତି ଗାଁରେ ଅଙ୍ଗନୱାଡି ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଆଶା କେନ୍ଦ୍ର ନିର୍ମାଣ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ତାଲିମ ପ୍ରଦାନ କରି ଏ. ଏନ୍. ଏମ୍. ପଦବୀକୁ ପଦୋନ୍ନତି ଯୋଜନା ପ୍ରସ୍ତୁତି, କାର୍ଯ୍ୟ ସମୟରେ ଦୁର୍ଘଟଣା ବାବାଦରେ ପରିବାରକୁ ୧୦ ଲକ୍ଷ ଟଙ୍କା ତଥା ଶାରୀରିକ ଅକ୍ଷମତା ହେଲେ ୫ ଲକ୍ଷ ଟଙ୍କା ସହାୟତା ନିମନ୍ତେ ଗ୍ରୁପ ସ୍ୱାସ୍ଥ୍ୟ ବୀମା, ସେବା ନିବୃତ ସମୟରେ ଏକକାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଓ ପ୍ରତିମାସ ୫ ହଜାର ଟଙ୍କା ଭତ୍ତା ପ୍ରଦାନ, ସୂଚାରୁ ରୂପେ କାର୍ଯ୍ୟ ପରିଚାଳନା ନିମନ୍ତେ ୫ଜି ମୋବାଇଲ ଫୋନ କରିବା ଭଳି ୯ ଦଫା ଦାବି ପୂରଣ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ରରେ ଉଲ୍ଲେଖ କରିଥିଲେ। ସେମାନଙ୍କ କହିବା ଅନୁସାରେ ଯଦି ସରକାର ଉକ୍ତ ଦାବି ଗୁଡ଼ିକ ପୂରଣ ନକରନ୍ତି ତେବେ ସେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂଘର ସଦସ୍ୟମାନେ ପ୍ରାରମ୍ଭ ରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଁଞ୍ଚି । ଜିଲାପାଳ ଙ୍କ ଅନୁପସ୍ଥିତିରେ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


