ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ବରେନ୍ଦ୍ରକୃଷ୍ଣ ଧଳ ମେମୋରିଆଲ ଟ୍ରଷ୍ଟର ଶୋକ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବରିଷ୍ଠ ସାମ୍ବାଦିକ ତଥା ବରେନ୍ଦ୍ରକୃଷ୍ଣ ଧଳ ମେମୋରିଆଲ ଟ୍ରଷ୍ଟ’ର ଅନ୍ୟତମ ସକ୍ରିୟ ସଦସ୍ୟ ରତିକାନ୍ତି ମହାନ୍ତିଙ୍କ ଅକାଳ ବିୟୋଗରେ ସୋମବାର ସନ୍ଧ୍ୟାରେ ଏକ ଶୋକସଭା ଟ୍ରଷ୍ଟର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ନିର୍ଭୀକ ଓ ସଚ୍ଚୋଟ ସାମ୍ବାଦିକତା ଏବଂ ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସ୍ୱର୍ଗତ ମହାନ୍ତିଙ୍କର ବଳିଷ୍ଠ ଭୂମିକା ସମ୍ପର୍କରେ ଏହି ଶୋକସଭାରେ ଆଲୋକପାତ କରାଯାଇଥିଲା। ଉଭୟ ସାମ୍ବାଦିକତା, ସମାଜସେବା, ସାମାଜିକ ସଂଗଠନ ଆଦି କ୍ଷେତ୍ରରେ ତାଙ୍କର ବଳିଷ୍ଠ ସାହାଯ୍ୟ ଓ ସହଯୋଗ ସ୍ମରଣୀୟ ହୋଇ ରହିବ। ତାଙ୍କର ବିୟୋଗ ସାମ୍ବାଦିକତା କ୍ଷେତ୍ର ଏବଂ ଟ୍ରଷ୍ଟ ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକସଭାରେ ପ୍ରକାଶ ପାଇଥିଲା। ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଶୋକସଭାରେ ଟ୍ରଷ୍ଟର ସଦସ୍ୟ ସୂର୍ଯ୍ୟ ମିଶ୍ର, ଶତୃଜିତ, ପ୍ରକାଶ ସେଠୀ, ବିବେକାନନ୍ଦ ଜେନା, ସିଦ୍ଧାର୍ଥ ଧଳ ଏବଂ ପ୍ରୀତିଛନ୍ଦା ଧଳ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।