ବିଷମକଟକ ସାଜିଛି ଚୋରା ମଦ କାରବାରର ନୂତନ ପେଣ୍ଠସ୍ଥଳି
ରାୟଗଡା ,( ଯୋଗେଶ୍ୱର ଦାସ ): ରାୟଗଡ଼ା ଜିଲ୍ଲା ବିଷମକଟକ ପାଇଁ ଲାଇସେନ୍ସ ପ୍ରାପ୍ତ କରିଥିବା ଗୋଟିଏ ମାତ୍ର ମଦ ଦୋକାନ ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ I ହେଲେ ମଦ ଚୋରା ଚାଲାଣର କାରବାର ବିଷମକଟକ ଠାରେ ବିଦେଶୀ ମଦର ଅଭାବ ହେବାକୁ ଦେଉନଥିବା ଦେଖୀବାକୁ ମିଳିଛି I କାହା ଛତ୍ରଛାୟା ରେ ମଦ ମାଫିଆ ସକ୍ରିୟ ? ମଦ ଆସୁଛି କେଉଁଠୁ? ଯୋଗାଉଛି କିଏ? ଅବକାରୀ ବିଭାଗ ପାଖରେ ଏହି ସବୁ ପ୍ରଶ୍ନର ଉତ୍ତର ନାହଁ? ତେବେ ବିଷମକଟକ ସହ ଯୋଡ଼ିତ ନୂତନ ଲାଇସେନ୍ସ ଧାରକଙ୍କ ଦୋକାନ ସମେତ ପଡୋଶୀ ନୂତନ ଲାଇସେନ୍ସ ଧାରୀ ମାନଙ୍କ ବିଗତ ଏକ ମାସ ର ସେଲ୍ସ ରେଜିଷ୍ଟର, ମଦ ଉଠାଣ ତଥା ଚାହିଦା ରେ ଅସ୍ୱାଭାଭିକ ବୃଦ୍ଧି ପରିଲକ୍ଷିତ ହେଲେ ମଦ ଚୋରା ଚାଲାଣର ସମସ୍ତ ସତ୍ୟାସତ୍ୟ ସାମ୍ନା କୁ ଆସିଯିବ I ଏହା ରାସନ ସାମଗ୍ରୀ ନୁହେଁ, ଯିଏ ଯୋଉଠି ଚାହିଁଲା ସେଇଠି ରଖି ଗୋଦାମ କରିଦେବ, ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ରହିଛି ବୋଲି ବହୁଜନ ସମାଜ ପାର୍ଟିର ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା ପ୍ରକାଶ କରିଛନ୍ତି I ମଦ ଚୋରା ଚାଲାଣର ଏହି ଅଭିଯୋଗ ମଧ୍ୟରେ,ଏହାର ଉତ୍ସ, ଉପଲବ୍ଧତା, ବିତରଣ ଏବଂ ଠିକଣା ଆଦିକୁ ନେଇ ଅବକାରୀ ବିଭାଗ ର କାର୍ଯ୍ୟକାରିତା ସନ୍ଦେହ ଘେରରେ ରହିଛି ।ପଡୋଶୀ ମୁନିଗୁଡା ବ୍ଲକ ପର୍ଯ୍ୟନ୍ତ ଏହାର ଚେର ଲମ୍ବୀ ଥିବା ଚର୍ଚ୍ଚା ମଧ୍ୟରେ ବିଷମକଟକ ହନୁମାନ ମନ୍ଦିର ନିକଟରେ ଥିବା ଏକ କୋଠା, ଏକ ଘରୋଇ ଏନଜିଓ ର କୋଠା, ନିକଟସ୍ଥ ପଞ୍ଚାୟତ ର ଏକ ଫାର୍ମ ହାଉସ, ସମେତ ଏକ କୁକୁଡ଼ା ଫାର୍ମ ଟି ମଦ ଚୋରା ଚାଲାଣ ର ପ୍ରମୁଖ ସ୍ରୋତ ବୋଲି କୁହାଯାଉଛି I ଏହି ଠିକଣା ଗୁଡିକୁ ଅସ୍ଥାୟୀ ମଦ ଗୋଦାମ ଭାବେ ବ୍ୟବହାର କରାଯାଉଥିବାର ଅଭିଯୋଗ ଏବେ ଭାଇରଲ ହେବା ରେ ଲାଗିଛି I ବସପା ବିଧାୟକ ପ୍ରାଥୀ ଜିତୁ ଜାକାଶିକା ଏହି ଭିଡିଓ ଜାରି କରି ବିଭାଗୀୟ କାର୍ଯ୍ୟଶୈଳୀ ପ୍ରତି ଆକ୍ଷେପ କରିଛନ୍ତି I ତେବେ ବେଶ କିଛି ଦିନ ହେବ ଚର୍ଚ୍ଚିତ ସ୍ଥାନ ମାନଙ୍କ ଠାରେ ଭାରି ମାତ୍ରା ରେ ଯାନବାହାନରେ ସାମଗ୍ରୀ ଅନଲୋଡ଼ିଂ ହେଉଥିବା ଏବଂ ଅନେକ ସମୟରେ ଛୋଟ ଛୋଟ ପିକଅପ ଭ୍ୟାନ, ଅଟୋ ସମେତ ଦୁଇ ଚକିଆ ରେ ସାମଗ୍ରୀ ଲୋଡ଼ିଂ କରାଯାଉଥିବା ସ୍ଥାନୀୟ ବାସିନ୍ଦା ନିଜ ନାମ ଗୋପନ ରଖିବା ସର୍ତ୍ତ ରେ ପ୍ରକାଶ କରିଛନ୍ତି I ହେଲେ ସବୁଠାରୁ ନିକଟସ୍ଥ ନୂତନ ଲାଇସେନ୍ସ ପ୍ରାପ୍ତ ଦୋକାନ ନମ୍ବର ୨୮/୨୦୧୯/୦୦୩୨ ପ୍ରତି ସନ୍ଦେହ ଅଧିକ ଘନୀଭୂତ ହୋଇଥିବା ବେଳେ ଦୋକାନ ନମ୍ବର ୨୮/୨୦୧୯/୦୦୫୫, ପଡୋଶୀ ଜିଲ୍ଲାର ୧୭/୨୦୧୯/୦୦୧୮, ୨୮/୨୦୧୯/୦୦୬ ନମ୍ବର ଆଦି ଦୋକାନ, ସମେତ ପଡୋଶୀ ମୁନିଗୁଡା ବ୍ଲକ ସହ ମଧ୍ୟ ଏହି ଚୋରା ଚାଲାଣ ର ଚେର ଯୋଡି ହୋଇଥିବା ଶ୍ରୀ ଜାକାଶିକା ସନ୍ଦେହ ପ୍ରକାଶ କରିଛନ୍ତି I ହେଲେ ହନୁମାନ ମନ୍ଦିର ନିକଟସ୍ଥ କୋଠା ଟି ପେଣ୍ଠସ୍ଥଳୀ ଭାବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି I ତେଵେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଅଧିକାରୀକ ଭାବେ ଏହି ଅଭିଯୋଗ ଗୁଡିକ ପ୍ରତି ଅଦ୍ୟାବଧି କୌଣସି ପୁଷ୍ଟି ହୋଇ ପାରିନାହିଁ I ଉକ୍ତ କୋଠାକୁ ନୂତନ କରି ଲାଇସେନ୍ସ ପ୍ରାପ୍ତ କରିଥିବା କିଛି ବ୍ୟକ୍ତି ବିଶେଷ ନିଜ କାର୍ଯ୍ୟାଳୟ ରୂପେ ବ୍ୟବହାର କରୁଥିବା ସୂଚନା ରହିଛି I ଏଠାରେ ଉଲ୍ଲେଖ ଥାଉକି ଓଡ଼ିଶା ଅବକାରୀ ନିୟମାବଳୀ ଅନୁଯାୟୀ, ମଦ ର ଷ୍ଟକ୍ ସାଧାରଣତଃ ଅନୁମୋଦିତ ଓ ଲାଇସେନ୍ସପ୍ରାପ୍ତ ପରିସର ତଥା ଅବକାରୀ ବିଭାଗ ଦ୍ୱାରା ଅନୁମୋଦିତ ଗୋଦାମ/ଷ୍ଟୋରରୁମ୍ରେ ସଂରକ୍ଷଣ କରାଯିବାର ବ୍ୟବସ୍ଥା ରହିଛି। ଏପରି ଗୋଦାମ ସ୍ଥାପନ ପାଇଁ ପୂର୍ବ ଅନୁମୋଦନ, ନିର୍ଦ୍ଧାରିତ ନିର୍ମାଣ ଓ ସୁରକ୍ଷା ମାନଦଣ୍ଡ ପାଳନ କରିବା ସହିତ ଆବକାରୀ ବିଭାଗର ନିରୀକ୍ଷଣ ଅଧୀନରେ ରହିବା ପାଇଁ କଡ଼ା ନିୟମ ରହିଛି। ସେହିପରି, ବିଧିବଦ୍ଧ ଲାଇସେନ୍ସ ଓ କର୍ତ୍ତୃପକ୍ଷଙ୍କ ଅନୁମୋଦନ ବିନା କୌଣସି ଆବାସିକ ଘରକୁ ମଦର ଗୋଦାମ ଭାବେ ବ୍ୟବହାର କରି ମଦ ସଂରକ୍ଷଣ, ଯୋଗାଣ, ପରିବହନ କିମ୍ବା ବିତରଣ କରାଯାଇପାରିବ ନାହିଁ ବୋଲି ମଧ୍ୟ ନିୟମ ରହିଛି ।


