ନଭେମ୍ବର ୫ ଓ ୬ରେ କଟକ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ

କଟକ, (ଓ୍ବାଇଏନଏସ): ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ-୨୦୨୬ର ତାରିଖ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୫ ଓ ୬ ତାରିଖରେ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ୍‌ଠାରେ ଯୁବ ମହୋତ୍ସବ ଅନୁଷ୍ଠିତ ହେବ। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୫ ତାରିଖ ସକାଳ ୯ଟାରୁ ଚିତ୍ରକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତ ପ୍ରତିଯୋଗିତା ହେବ। ସେହିପରି ନଭେମ୍ବର ୬ ତାରିଖ ସକାଳ ୯ଟାରୁ ନୁକ୍କଡ଼ ନାଟକ ଓ କବିତା ଲିଖନ ପ୍ରତିଯୋଗିତା ଆୟୋଜିତ ହେବ। ଚଳିତ ବର୍ଷର ସମସ୍ତ ସାଂସ୍କୃତିକ ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ ରହିଛି “ନିଶାମୁକ୍ତ ଯୁବ, ବିକଶିତ ଭାରତ”। ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀ ଏଥିରେ ଭାଗ ନେଇପାରିବେ। ପ୍ରତିଯୋଗୀମାନେ କେବଳ ଗୋଟିଏ ବିଭାଗରେ ଅଂଶଗ୍ରହଣ କରିପାରିବେ। ପୂର୍ବବର୍ଷ ସାଂସ୍କୃତିକ ବିଭାଗରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ଚଳିତ ବର୍ଷ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସମସ୍ତ ପ୍ରତିଯୋଗୀଙ୍କ ପାଇଁ MY Bharat ପୋର୍ଟାଲ୍‌ରେ ପଞ୍ଜୀକରଣ ବାଧ୍ୟତାମୂଳକ। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରୁଥିବା ଦଳଗତ ବିଭାଗର ବିଜେତାମାନଙ୍କୁ ଯଥାକ୍ରମେ ୧୦ ହଜାର, ୭ ହଜାର ୫୦୦ ଓ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ବ୍ୟକ୍ତିଗତ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୩ ହଜାର, ୨ ହଜାର ଓ ୧ ହଜାର ଟଙ୍କା ପୁରସ୍କାର ରହିଛି। ଅଂଶଗ୍ରହଣକାରୀଙ୍କୁ ଯାତାୟାତ ଓ ଦୈନିକ ଭତ୍ତା (ଟିଏ/ଡିଏ) ମଧ୍ୟ ପ୍ରଦାନ କରାଯିବ। ପ୍ରତିଯୋଗିତାରେ ମନୋନୀତ ଶ୍ରେଷ୍ଠ ଦଳ ଓ ବ୍ୟକ୍ତିଗତ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଭାଗ ନେବାର ସୁଯୋଗ ପାଇବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ