ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ଡ୍ରିଲ୍
ଆସିକା (ୱାଇଏନ୍ଏସ୍) : ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଅଧୀନସ୍ଥ ଆସିକା ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଗୁରବାର ଏକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ଡ୍ରିଲ୍) ଅନୁଷ୍ଠିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ଆଗ୍ନିକ ଗାଡିଚାଳକ ଜଟକିଶୋର ହାତୀ, ଅଗ୍ନିଯୋଦ୍ଧା ରଂଜନ କୁମାର ଭୋଇ, ବାବୁଲା ଗୌଡ, ଅଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏଥିରେ ଟାୱାର ଲାଇଟ୍, ଯନ୍ତ୍ରଚାଳିତ କରତ, ଜେନେରେଟର୍, ଷ୍ଟେଚର୍, ମେଗାଫୋନ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧରେ ଅଭ୍ୟାସ କରାଯାଇଥିଲା ବେଳେ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେଇ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ । ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଅନୁଷ୍ଠିତ ହୋଇଥିବା ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀ ବିଶ୍ୱଜିତ୍ ସାମନ୍ତରାୟ, ରୋଜାଲିନ୍ ସାହୁ, ଦୀପକ ସାହୁ, ସରସ୍ୱତୀ ରାଓ, ଅଜିତ୍ ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


