ବିପନ୍ନ ମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଯୋଗାଇବାକୁ ଦାବି କଲେ କଂଗ୍ରେସ ନେତ୍ରୀ ସସ୍ମିତା ଜେନା
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ପଞ୍ଚୁଗୋଛିଆ ଗାଁରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ୮ଟି ପରିବାରର ୧୨ଟି ଘର ସମେତ ସମସ୍ତ ଆସବାବପତ୍ର ସଂପୂର୍ଣ୍ଣ ଭାବେ ଜଳିପଡ଼ି ପାଉଁଶ ହୋଇଯାଇଛି। ଏହି ଦୁଃଖଦ ଘଟଣାର ସୂଚନା ମିଳିବା ପରେ ଆଜି ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନାଙ୍କ କନ୍ୟା ଡ଼ଃ ସସ୍ମିତା ଜେନା ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରଭାବିତ ପରିବାର ସହ ଆଲୋଚନା କରି ସକ୍ଷମତା ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଭାବିତ ପରିବାରମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରାଯାଇ ନଥିବାରୁ ବିପନ୍ନ ମାନେ ନାନା ଅସୁବିଧା ଭୋଗୁଥିବାରୁ ତୁରନ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବା ସହିତ ବିପନ୍ନ ପରିବାର ସଦସ୍ୟଙ୍କ ଆଧାର କାର୍ଡ, ରେସନ କାର୍ଡ, ପୋଡି ଯାଇଥିବା ଜମି ଜମା କାଗଜପତ୍ର ଆଦି ଯୋଗାଇ ଦେବାକୁ ଦାବି କରିଛନ୍ତି। ଏଥିସହିତ ଆଖପାଖ ଲୋକଙ୍କ ଘରକୁ ଯାଇ ସେମାନଙ୍କର ମୌଳିକ ସମସ୍ୟା ବୁଝିବା ସହିତ ଯେଉଁ ମାନେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନେ କିପରି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ସେନେଇ ଆଲୋଚନା କରିଥିଲେ। ତାଙ୍କ ସହିତ କଂଗ୍ରେସ ଦଳର ଅନେକ କର୍ମୀ ମାନେ ଉପସ୍ଥିତ ଥିଲେ।