ଚାକିରି ଦେବା ନାମରେ ପ୍ରଦୀପ ଲୁଟି ନେଇଥିଲେ ୧୨ ଲକ୍ଷ :ଜିଲ୍ଲାପାଳଙ୍କୁ ଗୁହାରୀ କଲେ ମୃତ ଉଦୟଙ୍କ ପତ୍ନୀ ମୀନା

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ଶ୍ରମ କାର୍ଯ୍ୟାଳୟରେ ପୂର୍ବରୁ ଜିଲ୍ଲା ଶ୍ରମ ଅଧିକାରୀ ଥିବା ପ୍ରଦୀପ ବାବୁଙ୍କ ପାଇଁ ଉଦୟନାଥ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ। ଉଦୟନାଥ ହେଉଛନ୍ତି ଆଳି ବ୍ଲକ ଅଧିନ ସିଙ୍ଗିରି ଗ୍ରାମପଞ୍ଚାୟତର ଅଳିହା ଗ୍ରାମର ବାସୀନ୍ଦା। ଗତ୨୦୦୯ ମସିହାରେ ପ୍ରଦୀପ ବାବୁ ନାମକ ଜଣେ ବ୍ୟକ୍ତି କେନ୍ଦ୍ରାପଡ଼ା ଶ୍ରମ କାର୍ଯ୍ୟାଳୟରେ ଜିଲ୍ଲା ଶ୍ରମ ଅଧିକାରୀ ଥିଲେ। ଏହି ସମୟରେ ପ୍ରଦୀପବାବୁ ଉଦୟନାଥଙ୍କ ମାଧ୍ୟମରେ ଡାଟା ଏଣ୍ଟ୍ରୀ ଅପରେଟର ପଦରେ ବିଭିନ୍ନ ଚାକିରୀ ଆଶାୟୀ ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ୧୨ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଆଳି ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ କେତେକ ଅଞ୍ଚଳର ଯୁବକ ଯୁବତୀ ଡାଟା ଏଂଟ୍ରି ପଦବୀରେ ଚାକିରୀ କରିବା ପାଇଁ ଆଶାୟୀ ଥିଲେ। ସେମାନେ ଉଦୟଙ୍କ ଜରିଆରେ ପ୍ରଦୀପ ବାବୁଙ୍କୁ ୧୨ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଯେଉଁମାନେ ଏହି ଟଙ୍କା ଦେଇଥିଲେ ସେମାନେ ଚାକିରୀ ପାଇ ନଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମାନେ ଚାକିରୀ ପାଇଥିଲେ। ଫଳରେ ଟଙ୍କା ଦେଇଥିବା ଯୁବକଯୁବତୀମାନେ ଟଙ୍କା ଫେରି ପାଇବା ପାଇଁ ଉଦୟଙ୍କୁ କହିଥିଲେ। ଉଦୟ ମଧ୍ୟ ଟଙ୍କା ଫେରାଇବା ପାଇଁ ପ୍ରଦୀପ ବାବୁଙ୍କୁ କହିଥିଲେ। ହେଲେ ପ୍ରଦୀପ ବାବୁ ତାଙ୍କୁ ଧରାଛୁଆଁ ଦେଇ ନଥିଲେ। ଫଳରେ ଉଦୟ ପ୍ରଦୀପଙ୍କୁ କହିଥିଲେ ଯେ ଟଙ୍କା ନ ଫେରାଇବାରୁ ଯୁବକଯୁବତୀମାନେ ତାଙ୍କ ଘରେ ଧାରଣା ଦେଉଛନ୍ତି। ଏହାଦ୍ୱାରା ତାଙ୍କ ସାମାଜିକ ସ୍ଥିତି ଦୋହଲି ଯାଉଛି। ତେଣୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ଓ ଏଥିପାଇଁ ପ୍ରଦୀପ ବାବୁ ଦାୟୀ ରହିବେ। ଏହା ଜାଣିବା ପରେ ମଧ୍ୟ ପ୍ରଦୀପ ବାବୁ କୌଣସି ପଦକ୍ଷେପ ନେଲେ ନାହିଁ କି ଉଦୟଙ୍କ ଠାରୁ ନେଇଥିବା ୧୨ ଲକ୍ଷ ଟଙ୍କା ଫେରାଇଲେ ନାହିଁ। ତେଣୁ ଉଦୟ ବାଧ୍ୟହୋଇ ୨୦୧୨ ମସିହାରେ ଆତ୍ମହତ୍ୟା କରିଦେଲେ। ଏ ନେଇ ଉଦୟଙ୍କ ପତ୍ନୀ ପ୍ରଦୀପଙ୍କୁ ଦାୟୀ କଲେ। ଫଳରେ ଗିରଫ ଭୟରେ ପ୍ରଦୀପ ଧରାଧରି କରି ନିଜର ବଦଳି ଜଗତସିଂହପୁର ଜିଲ୍ଲାକୁ କରାଇନେଲେ। ଏ ନେଇ ଉଦୟଙ୍କ ପତ୍ନୀ ମୀନା ମଲ୍ଲିକ କେନ୍ଦ୍ରାପଡ଼ା କୋର୍ଟରେ ଏକ ମାମଲା ଦାୟର କରିଥିଲେ। ମାମଲା କୋର୍ଟରେ ଚାଲିଥିବା ବେଳେ ପ୍ରଦୀପଙ୍କ ଚାକିରୀ ପ୍ରତି ଆଞ୍ଚ ଆସିଲା। ଫଳରେ ସେ ଉଦୟଙ୍କ ସାନଭାଇ ତଥା ମୀନାଙ୍କ ଦିଅରକୁ ହାତକରି ଏକ ସାଧା କାଗଜରେ ସ୍ୱାକ୍ଷର କରାଇନେଲେ। ସେ ଏହାର ବିରୋଧ କରିବାରେ ତାକୁ ପ୍ରଦୀପବାବୁ ଧମକ ଦେଇଥିଲେ। ଏହାଦ୍ୱାରା କୋର୍ଟରେ ଚାଲିଥିବା ମାମଲା ବନ୍ଦ ହୋଇ ଯାଇଥିଲା। କିନ୍ତୁ ଯେଉଁମାନେ ଟଙ୍କା ଦେଇଥିଲେ ସେମାନେ ଏବେ ଜୁଲମ କରୁଛନ୍ତି ଟଙ୍କା ଫେରି ପାଇବା ପାଇଁ। ମୀନାଙ୍କୁ କହୁଛନ୍ତି ଜମିବାଡି ଘରଦ୍ୱାରା ବିକ୍ରି କରି ଟଙ୍କା ଦେବା ପାଇଁ। ତେଣୁ ବାଧ୍ୟହୋଇ ମୀନା ଏବେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କହିଛନ୍ତି ଉକ୍ତ ମାମଲାର ରିଓପନ୍ କରି ଦୋଷୀ ପ୍ରଦୀପକୁ ଦଣ୍ଡ ଦେବା ପାଇଁ। ଏସମ୍ପର୍କରେ ପ୍ରଦୀପବାବୁଙ୍କୁ ପଚାରିବାରେ ସେ କହିଲେ ଯେ ମୋର ସେକଥା ମନେପଡୁନି । ଏହାର ତଦନ୍ତ କରାଗଲେ ସେ ସହଯୋଗ କରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ