ପାତ୍ରଗୁଡ଼ାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ କାର୍ଯ୍ୟକ୍ରମ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ପାତ୍ରଗୁଡ଼ା ଗ୍ରାମ ପରିସରରେ ମୁନିଗୁଡ଼ା ପୋଲିସ ପ୍ରଶାସନ ତରଫରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗାନ୍ଧୀ ଯୁବକ ସଂଘ ଦାୟିତ୍ୱରେ ଥିବା ଯୁବକ ମାନଙ୍କ ସହଯୋଗରେ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ,ବୁଦ୍ଧିଜୀବି,ଗଣମାଧ୍ୟମ ପ୍ରତିନିଧି ଏବଂ ଶତାଧିକ ଛାତ୍ରଛାତ୍ରୀ,ସାଧାରଣ ଜନତା ସାଇବର ସୁରକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ କରିବା ସହ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ ପରେ ରଥକୁ ପାତ୍ରଗୁଡ଼ା ବଜାର ପରିକ୍ରମା କରିଥିଲେ,ଏହି ଅବସରରେ ଗ୍ରାମ ପରିସରରେ ଗାନ୍ଧୀ ଯୁବକ ସଂଘର ସଭାପତି ବଳଦେବ ଶତପଥୀଙ୍କ ସଭାପତିତ୍ବ ଓ ସବ ଇନ୍ସପେକ୍ଟର ବିକାଶ ଦେବନାଥଙ୍କ ସଂଯୋଜନାରେ ଏକ ସଚେତନତା ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁନିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ସୌଦାମିନୀ ବେହେରା,ସମ୍ମାନିତ ଅତିଥିଭାବେ ଏସଆଇ ମହେଶ୍ୱର ପାଇକ, ଏଫ.ଏ.ମହମ୍ମଦ ପ୍ରମୁଖ ଉପସ୍ଥିତ ରହି ସାଇବର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ବର୍ତ୍ତମାନ ହେଉଥିବା ସାଇବର ଠକେଇ ଉପରେ ସଚେତନ କରିବାକୁ ଯାଇ ଡିଜିଟାଲ ଆରେଷ୍ଟ ଠକେଇ,ନିବେଶ ଓ ଟ୍ରେଡିଂ ଠକେଇ,ପାର୍ଷଲ/କଷ୍ଟମ ଠକେଇ,ନକଲି ଋଣ/ତତ୍କାଳ କ୍ରେଡିଟ ଆପ,ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ଏବଂ ଇ – କମର୍ସ ରିଫଣ୍ଡ/ଅଫର୍ ଠକେଇ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଭବିଷ୍ୟତ ପାଇଁ ସତର୍କ କରାଇଥିଲେ। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ପାତ୍ରଗୁଡା ପଞ୍ଚାୟତର ବହୁ ସଂଖ୍ୟାରେ ମହିଳା ସ୍ଵୟଂ ସହାୟିକା ସଦସ୍ୟା ଓ ଗ୍ରାମବାସୀଙ୍କ ସମେତ ମୁନିଗୁଡ଼ା ପୋଲିସ ଟିମ ଓ ଗାନ୍ଧୀ ଯୁବକ ସଂଘର ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ।


