ଚାଷୀ ପଞ୍ଜୀକରଣ ଅବଧି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି
ଛତ୍ରପୁର, (ଓ୍ବାଇଏନଏସ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ୍ ପଞ୍ଜୀକରଣ ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ ବହୁ ଚାଷୀ ପଞ୍ଜୀକରଣ କରିପାରିନଥିବାରୁ ଏହାର ଅବଧି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଭିନ୍ନ ଚାଷୀ ସଂଗଠନ ଓ ଜନପ୍ରତିନିଧି ଦାବି କରିଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୃଥକ ପୃଥକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡାଙ୍କୁ ଭେଟି କଙ୍କୋରଡ଼ା ପଞ୍ଚାୟତର ସରପଞ୍ଚ ମୀନତି ସେଠୀ, ଚାଷୀ ନେତା ବିଜୟ ସ୍ୱାଇଁ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ସମେତ ବେଲପଡ଼ା ପ୍ୟାକ୍ସ, ବେଗୁନିଆପଡ଼ା ବ୍ଲକର ବୁରୁଝରି ଓ କନ୍ଧ ରାଣୀପଡ଼ା ପ୍ୟାକ୍ସର ବହୁ ଚାଷୀ ପୃଥକ ଭାବେ ଦାବିପତ୍ର ପ୍ରଦାନ କରିଥିଲେ। ଚାଷୀମାନେ କହିବା ଅନୁସାରେ , ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ପାଇଁ ନୂତନ ନିୟମ ଏବଂ ବର୍ତ୍ତମାନ ସ୍ୱଳ୍ପ ସମୟ ଥିବାରୁ ଅନେକ ଚାଷୀ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିନାହାନ୍ତି। ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଋଷିକୂଲ୍ୟା ରୟତ ମହାସଂଘ ପକ୍ଷରୁ ଚାଷୀଙ୍କ ସମସ୍ୟାକୁ ନେଇ ସରକାରଙ୍କ ନିକଟରେ ଅବଧି ବୃଦ୍ଧି ପାଇଁ ଦାବି କରାଯାଇଥିବା ଜଣାପଡ଼ିଛି।


