୧୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୩ଟି ରାସ୍ତାର ଶିଳାନ୍ୟାସ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଷାଫଳ ପଂଚାୟତରେ ତିନୋଟି ରାସ୍ତାର ପ୍ରଶସ୍ତିିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ଅଟକଳରେ ଏହି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ୫କୋଟି ୫୯ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସାର୍ଥା ଠାରୁ କଷାଫଳ ପର୍ଯ୍ୟନ୍ତ ସାହୁ ଫେରିଘାଟରୁ ସାର୍ଥାବିନ୍ଧା ରାସ୍ତା, ୩କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସାହୁ ମାର୍କେଟ ଅଙ୍ଗନବାଡି କେନ୍ଦ୍ର ଠାରୁ ଡିଗିରି ପାହି ପର୍ଯ୍ୟନ୍ତ ରାସ୍ତା ଏବଂ ୧କୋଟି ୮୮ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସତ୍ୟ ନାରାୟଣ ଘର ଛକ ଠାରୁ ଚାଲତି ଭାୟା ବାରମାନିଆ, ଗିମାଗଡିଆ ରାସ୍ତା ପ୍ରଭୃତିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ପାଇଁ ଶିଳାନ୍ୟାସ କରିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ ଭୁସୁଡି ପଡିଥିବା ଗମନାଗମନ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବିଗତ ୨ବର୍ଷ ମଧ୍ୟରେ ଜାରି ରହିଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ । ଗ୍ରାମାଂଚଳକୁ ସହର ସହିତ ଯୋଡ଼ିବା ଲକ୍ଷ୍ୟରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏହି କ୍ରମରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ୧୫୦ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ନିର୍ମାଣ ପାଇଁ ୨୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇ ସାରିଛି ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ସଠିକ ମାନଦଣ୍ଡ ଓ ଗୁଣବତା ଯୁକ୍ତ ରାସ୍ତା ନିର୍ମାଣ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରକଳ୍ପଗୁଡିକର ସଫଳ ରୂପାୟନ ପାଇଁ ଗ୍ରାମବାସୀଙ୍କ ସହଯୋଗ କାମନା ସହ ଯୋଜନାବଦ୍ଧ ତଥା ଧାର୍ଯ୍ୟ ସମୟମୀମା ମଧ୍ୟରେ ସମସ୍ତ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ଲୋକଙ୍କ ଆଶା ମୁତାବକ ଶେଷ ହେବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା ଉପସ୍ଥିତ ଥିଲେ । କଷାଫଳ ପଂଚାୟତର ସରପଂଚ ଜୟନ୍ତୀ ଆଦିକ ଓ ସମିତି ସଭ୍ୟା ପ୍ରିୟଙ୍କା ଜେନାଙ୍କ ସହ ନାଏବ ସରପଞ୍ଚ ପ୍ରିୟରଞ୍ଜନ ପୃଷ୍ଟି, ଲୋକନାଥ ଭୂୟାଁ, ମୁକୁନ୍ଦ ଆଦିକ, ମନ୍ମଥ ବେହେରା, ସତ୍ୟଜିତ ଜେନା, ମନୋରଞ୍ଜନ ନନ୍ଦି, ପବନ କମିଳା, ଅଶୋକ ରଣା, ହରେକୃଷ୍ଣ ଖଣ୍ଡା, ଶମ୍ଭୁନାଥ ଶାବଳ, ଆଶିଷ ସାହୁ, ଆଶିଷ ରାୟ, ସୁଶାନ୍ତ ପରିଡା, ହେମନ୍ତ ପରିଡା, ହରିଶ୍ଚଦ୍ର ଦଳାଇ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ