ରାସ୍ତା ନିର୍ମାଣକୁ କେନ୍ଦ୍ରକରି ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ଗ୍ରାମ ପଞ୍ଚାୟତର ଦଲକି, ପିତାନାଉ, ରତ୍ନମରା ଆଦି ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ଏପରିକି ବିସ୍ଥାପିତ ହେବାର ଦୀର୍ଘ-୬୦ ବର୍ଷ ପରେ ମଧ୍ୟ ହଦଗଡ଼ ପଞ୍ଚାୟୟତ ଅଫିସକୁ ଆସିବାକୁ ହେଲେ ହୁଲି ଡଙ୍ଗାରେ ଦୀର୍ଘ ୫/୬ କିଲୋମିଟର ବାଟ ଜଳ ଭଣ୍ଡାର ଦେଇ ଆସିଥାନ୍ତି। ଡାକ୍ତରଖାନା ହେଉ, କି ରେସନ ସାମଗ୍ରୀ ଆଣିବାକୁ ନାନା ଅସୁବିଧା ଭୋଗୁ ଥିବାରୁ ଗ୍ରାମବାସୀ ମାନେ ମିଳିତ ହୋଇ ନିଜେ ଶ୍ରମଦାନ କରି ତିନିବର୍ଷ ତଳେ ହଦଗଡ଼ ଜଳସେଚନ ବଙ୍ଗଳା ପଛପଟେ ଏକ ପାଦ ଚଲା ରାସ୍ତା ନିର୍ମାଣ କରିଥିଲେ। ଯାହାଦ୍ୱାରା ପଞ୍ଚାୟତ କାର୍ଯ୍ୟାଳୟ, ହଡ଼ଗଡ଼ ହାଟ ବଜାରକୁ ସହଜରେ ଯାତାୟାତ କରି ପାରୁଥିଲେ। ଗତ ଲଘୁଚାପ ବର୍ଷାରେ ଗୋଟେ ବିରାଟ ଗର୍ତ୍ତ ହୋଇ ରାସ୍ତାଟି ବିଛିନ୍ନ ହୋଇ ପଡିଥିଲା। ଆଜି ଗ୍ରାମବାସୀ ମିଳିତ ହୋଇ ରାସ୍ତା ମରାମତି କରିବାକୁ ଆସିବା ବେଳେ ବନ ବିଭାଗର କର୍ମଚାରୀ ମାନେ ବିରୋଧ କରିଥିଲେ। ଯେହେତୁ ଏହା ସେଞ୍ଚୁରୀ ଏରିଆ ତେଣୁ ରାସ୍ତା ନିର୍ମାଣ ନକରିବାକୁ ବନ ବିଭାଗ କହିଥିଲା। ଶତାଧିକ ଗ୍ରାମବାସୀ ଏକଜୁଟ ହୋଇଥିବା ଶୁଣି ସ୍ଥାନୀୟ ସରପଞ୍ଚ ନିରୁପମା ନନ୍ଦି , ସମିତି ସଭ୍ୟ ସୁନି ହାଁସଦା ଓ ସ୍ଥାନୀୟ ଅଞ୍ଚଳର ନେତୃବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ମାଧ୍ୟମରେ ବିବାଦର ଅବସାନ ଘଟାଇଛନ୍ତି। ଜଙ୍ଗଲରେ କୌଣସି କ୍ଷତି ନଘଟାଇ ପାଦଚଲା ରାସ୍ତା ମରାମତି କରି ଯାତାୟାତର ସୁବିଧା କରିବାକୁ ନିଷ୍ପତି ହୋଇଥିବା ଗ୍ରାମବାସୀମାନେ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଏଠିକାର ଅଧିବାସୀ ମାନେ ବିସ୍ଥାପିତ ହେବାର ଦୀର୍ଘ-୬୦ ବର୍ଷ ପରେ ମଧ୍ୟ ରାସ୍ତା ସମସ୍ୟା ଯୋଗୁଁ ସାଧାରଣତଃ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଏ ସମ୍ପର୍କରେ ଡ଼ିଏଫ ଓ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଓସାରିଆ ରାସ୍ତା ନିର୍ମାଣ କରିବାକୁ ଲୋକମାନେ ଆସିଥିବା ବେଳେ ଆମେ ତାହାକୁ ବାରଣ କରିଥିଲୁ ବୋଲି କହିଛନ୍ତି।


