ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ

ନୂଆପଡ଼ା,୨୮/୦୧(ଲିଲାମ୍ବର ନାଗ): ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନୟନକୁ ତ୍ୱରାନ୍ୱିତ କରିବା ଓ ଅନ୍ତଃବିଭାଗ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମଗ୍ରିକ ବିକାଶ ଶୀଘ୍ର ଏବଂ ନିଶ୍ଚିତ କରିବା ପାଇଁ ପ୍ରତି ମାସ ଏହି ବୈଠକ ଆୟୋଜିତ ହେଉଥିବା ଜିଲ୍ଲାପାଳ କହିଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଫୁଲ୍ଲ କୁଜୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଜିଲ୍ଲା ପରିଷଦ ଏ .ପି. ଡି.   କ୍ଷମାନିଧି ଭୋଇଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକର ଆରମ୍ଭରେ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପେପରଲେସ୍ କାର୍ଯ୍ୟ ପ୍ରଣାଳୀ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ।  ଓସ୍ୱାସ୍ ମାଧ୍ୟମରେ ଅନଲାଇନ ଫାଇଲ ଓ ସମସ୍ତ ଚିଠିପତ୍ର ଆଦାନ ପ୍ରଦାନ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏଥିରେ ଥିବା ସମସ୍ୟାର ତ୍ୱରିତ ସମାଧାନ ଏବଂ ଅଧିକ ଉନ୍ନତି ଆଣିବାକୁ ସେ ଡି ଇ ଜି ଏମ୍ ବିରେନ୍ଦ୍ର ସିଂ ଦଣ୍ଡସେନାଙ୍କୁ କହିଥିଲେ ।  ଉପ ନିର୍ଦ୍ଦେଶକ, ପରିସଂଖ୍ୟାନ ଡିଲେଶ୍ୱର ଧରୁଆ ବିଗତ ମାସର ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। ବିଗତ ମାସରେ ଉନ୍ନୟନ କାର୍ଯ୍ୟରେ ଥିବା ବାଧା, ବିସଂଗତି ଓ ସେଗୁଡ଼ିକର ସମାଧାନ ଏବଂ ପ୍ରତ୍ୟେକ ବିଭାଗର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।ବୈଠକରେ ପର୍ଯ୍ୟଟନ ବିଭାଗ ଦ୍ଵାରା  ତୀଖାଲି ଡ୍ୟାମ, ଗୋଧସ ଜଳପ୍ରପାତର ଉନ୍ନତି କରଣ, ଜିଲ୍ଲା ସଂସ୍କୃତି ଭବନ, ଟାଉନ୍ ହଲ ନିର୍ମାଣ ଉପରେ ଆଲୋଚନା ହୋଇଥିଲା l  ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ଓ ଜାତୀୟ ରାଜପଥ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନୂଆପଡ଼ା ସହରର  ରାଜପଥର ଉଭୟ ପାର୍ଶ୍ୱରେ ପେଭର ବ୍ଲକ୍ ଓ  ଡ୍ରେନ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ଏବଂ ଖରିଆର ରୋଡରେ ରୋଡ୍ ଡିଭାଇଡର ନିର୍ମାଣ କରିବାକୁ କହିଥିଲେ।ବୈଠକରେ ଜଣାପଡ଼ିଥିଲା ଯେ ଜିଲ୍ଲାରେ ୧୯୬ ଜଣ ଚାକିରୀ ଆଶାୟୀ ପ୍ରଶାସନିକ, ବ୍ୟାଙ୍କିଂ, ଏସ୍‌ଏସ୍‌ସି ଓ ଅନ୍ୟାନ୍ୟ ନିଯୁକ୍ତି ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେବା ନିମିତ୍ତ ଆବେଦନ କରିଛନ୍ତି। ସ୍କ୍ରିନିଂ କରି ଯୋଗ୍ୟ ଆଶାୟୀଙ୍କୁ ଚୟନ ପୂର୍ବକ ଶୀଘ୍ର ତାଲିମ ଆରମ୍ଭ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଜଳସେଚନ, ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ରାସ୍ତା ଓ ଗୃହନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ପ୍ରାଣୀ ସମ୍ପଦ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ, ଖଣି ଓ ପର୍ଯ୍ୟଟନ, ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ସମସ୍ତ ବିଭାଗର କାର୍ଯ୍ୟ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ତହସିଲଦାରମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର, ଖେଳ ପଡିଆ ମାନଙ୍କୁ ଜମି ପଟ୍ଟା ଯୋଗାଇବା ସହ ନୂତନ କୋଠା ନିର୍ମାଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍ସର୍ଗୀକୃତ ମନୋଭାବରେ କାର୍ଯ୍ୟ କରି ଜିଲ୍ଲାକୁ ସବୁଜ, ସୁନ୍ଦର ଏବଂ ପ୍ଲାଷ୍ଟିକ ମୁକ୍ତ କରି ପ୍ରଗତିର ପଥରେ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସ୍ତରରେ ପ୍ରାପ୍ତ ହୋଇଥିବା” ଶ୍ରେଷ୍ଠ ନିର୍ବାଚନ ଜିଲ୍ଲା ” ପୁରସ୍କାରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସମର୍ପଣ କରି ଦେଇଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ