ଜିଲ୍ଲାସ୍ତରୀୟ ଜୀବିକା ମିଶନ ଏକାଭିମୁଖତା କର୍ମଶାଳା
ବାଲେଶ୍ୱର,(ସରୋଜ ପଣ୍ଡା): ଅଦ୍ୟ ଅପରାହ୍ନ ଘ୧ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଡ଼ିଟରିୟମ ଠାରେ ଜିଲ୍ଲାସ୍ତରୀୟ ଜୀବିକା ମିଶନ ଏକାଭିମୁଖତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମିଶନ ଶକ୍ତି ଜରିଆରେ ଜୀବିକା ମିଶନ ଏକାଭିମୁଖତା କର୍ମଶାଳା ଉପରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଏଥିରେ ଡି.ପି.ସି କାର୍ତ୍ତିକ ନାୟକ ଜିଲ୍ଲାର ସମସ୍ତ ବ୍ଲକ ରେ କାର୍ଯ୍ୟକ୍ଷମ ଥିବା ମିଶନ ଶକ୍ତି ଏବଂ ଓରମାସର ନିର୍ଦ୍ଦେଶକ ଶାନ୍ତନୁ ବାନାର୍ଜୀ ମିଶନ ଶକ୍ତି ଜରିଆରେ ଉତ୍ପାଦିତ ସାମଗ୍ରୀର ଗୁଣବତ୍ତା, ପରିମାଣ, ପେକିଂ, ନାମକରଣ, ବଜାର ବିକ୍ରି ବ୍ୟବସ୍ଥା ସହିତ ବିଭିନ୍ନ ପ୍ରସଙ୍ଗ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏତଦ ଭିନ୍ନ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଡ. ମଧୁସ୍ମିତା ସାମନ୍ତରାୟ ମିଶନ ଶକ୍ତିର ସଦସ୍ୟା ମାନେ ଜୀବିକା ମିଶନ ଜରିଆରେ ସରକାରଙ୍କ ପ୍ରୋତ୍ସାହିତ ରାଶିର ସଦ ଉପଯୋଗ କରି ଏହାର ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓରମାସର ନିର୍ଦ୍ଦେଶକ ଶାନ୍ତନୁ ବାନାର୍ଜୀ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ ମଧ୍ୟରେ ବାଲେଶ୍ୱର ସଦର, ବାଲିଆପାଳ, ବସ୍ତା, ଭୋଗରାଇ, ଜଳେଶ୍ୱର, ଖଇରା, ନୀଳଗିରି, ରେମୁଣା, ସୋର, ବାଲେଶ୍ୱର ମୁନିସିପାଲିଟି ମିଶନ ଶକ୍ତି ଜରିଆରେ ଭିନ୍ନ ଭିନ୍ନ ଉତ୍ପାଦିତ ଦ୍ରବ୍ୟ ଯଥା ଶୁଖିଲା ମାଛ, ଅଗରବତ୍ତୀ, ଛତୁ, ମହୁ, ଲାଖ, ଟସର, ମାଣ୍ଡିଆ, ଟେରାକୋଟା ସାମଗ୍ରୀ, ପଥର ଖୋଦେଇ ସାମଗ୍ରୀ, ଚାନ୍ଦୁଆ ଗୁଡିକର ମାନ ବଜାର ବିକ୍ରୟ ଉପରେ ବିଶେଷ ଭାବରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବି.ଡି.ଓ ମାନେ ନିଜ ନିଜ ଅଞ୍ଚଳରେ ଉତ୍ପାଦିତ ଦ୍ରବ୍ୟ ମାନଙ୍କ ଚାହିଦା ନିମନ୍ତେ ଆବଶ୍ୟକତା ଉପରେ ପ୍ରସ୍ତାବ ଆଗତ କରିଥିଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ କର୍ମଶାଳାରେ ଉପସ୍ଥିତ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ବି.ଡି.ଓ, ବି.ପି.ସି, ଓ.ଏଲ.ଏମ ମାନଙ୍କୁ ମିଶନ ଶକ୍ତି ଜରିଆରେ ଉତ୍ପାଦିତ ସାମଗ୍ରୀ ଗୁଡିକର ବଜାର ବିକ୍ରୟ ବ୍ୟବସ୍ଥା, ଦ୍ରବ୍ୟ ମାନ ବୃଦ୍ଧି ନିମନ୍ତେ ତାଲିମ, ସରକାରୀ ପ୍ରୋତ୍ସାହନ ରାଶି ସମ୍ପର୍କରେ ସମସ୍ତେ ଯତ୍ନବାନ ହେବାପାଇଁ ଏବଂ ସମ୍ପୃକ୍ତ ବିଭାଗ ସହଯୋଗରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ କୁମାର ସିଂ , ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ନାବାର୍ଡ ମ୍ୟାନେଜେର ତପନ ରାଉତ, ଏଲ.ଡି.ଏମ ମୋତି କୁମାର ସାହା, ଓରମାସର ଶାନ୍ତନୁ ବାନାର୍ଜୀ, ଡି.ପି.ଏମ ବନଜା ମାହାରୀ, ଡି.ପି.ସି. କାର୍ତ୍ତିକ ନାୟକ ସମେତ ଜିଲ୍ଲାର ସମସ୍ତ ବି.ଡି.ଓ, ବି.ପି.ସି, ଓ.ଏଲ.ଏମ ମାନେ ଯୋଗ ଦେଇଥିଲେ।


