୧୨ ବର୍ଷ ପରେ ଏସଆଇଇଟି କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ପୁନଃନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ,(ସରୋଜ ଦାସ): ୧୨ ବର୍ଷ ପରେ ଏସଆଇଇଟି ଛଟେଇ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ ଟେକ୍ନୋଲୋଜି- ଏସ୍ଆଇଇଟିର ଛଟେଇ କର୍ମଚାରୀଙ୍କୁ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ପୁନଃନିଯୁକ୍ତି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର ନିର୍ଦ୍ଦେଶ ପ୍ରଦାନ କରିଥିଲେ, ମାତ୍ର ଓଡ଼ିଶା ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଛନ୍ତି। ଏଥିସହ ଆବେଦନକାରୀ କର୍ମଚାରୀଙ୍କ ଵ୍ୟଵସ୍ଥା କରିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩, ଏପ୍ରିଲ ୨୯ରୁ ଏସଆଇଇଟି କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ପ୍ରଦାନ କରିଥିଲେ। ହେଲେ ହାଇକୋର୍ଟ ଏହାକୁ ଖାରଜ୍ କରିବା ସହ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ/ନିର୍ଦ୍ଦେଶାଳୟରେ ଉପଲବ୍ଧ ଥିବା ଖାଲି ପଦବିରେ ଏସଆଇଇଟିର ଏହି ଆବେଦନକାରୀ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଆବେଦନକାରୀଙ୍କୁ ନିରନ୍ତର ସେବାର ସୁଯୋଗ ପ୍ରଦାନ ଓ ଚାକିରି ସଂପର୍କିତ ଅନ୍ୟ ସୁବିଧା ଦେବା ଉପରେ କୋର୍ଟ ଗୁରୁତ୍ବାରୋପ କରିଛନ୍ତି। ତିନି ମାସ ଭିତରେ ଏହି ପ୍ରସଂଗରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ପାଇଁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ, ପ୍ରମୋଦ ରଂଜନ ଦାଶ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ତିନିଟି ରିଟ୍ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏସଆଇଇଟିରେ ସରକାରଙ୍କ ଦ୍ବାରା ସୃଷ୍ଟି କରାଯାଇଥିବା ପଦବୀରେ ଆବେଦନକାରୀ ନିଯୁକ୍ତି ପାଇ, ଦୁଇ ଦଶନ୍ଧିରୁ ଅଧିକ ଦିନ କାର୍ଯ୍ୟ କରିଥିଲେ। ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଓ ମଞ୍ଜୁରୀପ୍ରାପ୍ତ ପଦରେ ଆବେଦନକାରୀ ନିଯୁକ୍ତି ପାଇଥିଲେ। ୨୦୧୩, ଏପ୍ରିଲ ୨୯ରୁ ଏସଆଇଇଟିକୁ ବନ୍ଦ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିସହ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏହି ତାରିଖରୁ କାର୍ଯ୍ୟରୁ ଅନ୍ତର ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି କର୍ମଚାରୀମାନେ ଏହି ତିନିଟି ରିଟ୍ ପିଟିସନ ଦାଖଲ କରିଥିଲେ। ଯାହା ବିରୋଧରେ ୨୦୧୩ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଇନ ଅନୁମୋଦିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଓ ସରକାରଙ୍କ ଦ୍ବାରା ସୃଷ୍ଟି କରାଯାଇଥିବା ପଦବୀରେ ନିଯୁକ୍ତି ପାଇ ଆବେଦନକାରୀ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ। ତେବେ ଆବେଦନକାରୀଙ୍କୁ ଏସଆଇଇଟି ବନ୍ଦ ପରେ ଅନ୍ୟ ସରକାରୀ ବିଭାଗରେ ଅବସ୍ଥାପିତ ନ କରି କାର୍ଯ୍ୟରୁ ଅନ୍ତର କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କୋର୍ଟରେ ଆବେଦନକାରୀ ନିବେଦନ କରିଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି।


