ଦିବ୍ୟ ଅଙ୍ଗବସ୍ତ୍ର ପ୍ରଦର୍ଶନ ମହୋତ୍ସବ
ଧାମନଗର (ଓ୍ବାଇଏନଏସ): ବୈଷ୍ଣବ ଧର୍ମର ପ୍ରତିଷ୍ଠାତା ମହାପ୍ରଭୁ ଶ୍ରୀଚୈତନ୍ୟ ୧୫୧୪ ମସିହାରେ ଶ୍ରୀକ୍ଷେତ୍ର ଧାମରୁ ବୃନ୍ଦାବନ ଧାମ ଯାତ୍ରା କାଳରେ ପଥ ପ୍ରାନ୍ତରେ ବହୁ ସ୍ଥାନରେ ବିଶ୍ରାମ କରିଥିଲେ। ତାଙ୍କର ବିଶ୍ରାମ କାଳରେ ତାଙ୍କ ବ୍ୟବହୃତ ବହୁ ଅଙ୍ଗବସ୍ତ୍ର ଛାଡି ଯାଇଛନ୍ତି। ଏପରିକି ଉକ୍ତ ଅଙ୍ଗବସ୍ତ୍ର ଗୁଡିକ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତିସହ ବହୁ ମଠ ମନ୍ଦିରରେ ବିଧିପୂର୍ବକ ସାଇତିରଖାଯାଇ, ମହାପ୍ରଭୁଙ୍କର ଆଗମନୀ ତିଥି ଅନୁଯାଇ ଭକ୍ତ ମାନଙ୍କ ଦର୍ଶନ ନିମିତ୍ତ ପ୍ରଦର୍ଶନ କରାଯାଇ ଆସୁଅଛି।ସେହି କ୍ରମରେ ଭଦ୍ରକ ମୁନିସିପାଲିଟି ଅଧିନ ସନ୍ଥିଆ ଗ୍ରାମରେ ବହୁ ପ୍ରାଚୀନ ଶ୍ରୀରାଧା ମଦନମୋହନ ମନ୍ଦିରରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପାଞ୍ଚ ଦିନିଆ ରହଣି କାଳରେ ସେଠାରେ ଛାଡି ଯାଇଥିବା ସେହି ଦିବ୍ୟବସ୍ତ୍ର ବା କନ୍ଥା ପ୍ରତିବର୍ଷ ଶୁକ୍ଳ ପଞ୍ଚମୀ ତିଥିରେ ପ୍ରଦର୍ଶିତ ହୋଇଆସୁଅଛି। ଚଳିତବର୍ଷ ଗତ ତା୧୮ରିଖ ଏହି ଅବସରରେ ଦିବ୍ୟବସ୍ତ୍ର ପ୍ରଦର୍ଶନ,ଧର୍ମସଭା ତଥା ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଅଛି। ଡ.ଭାଗବତ ତ୍ରିପାଠୀଙ୍କ ସଭାପତିତ୍ବରେ ତଥା ମହନ୍ତ ଆଶିଷଦେବ ଗୋସ୍ଵାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭଦ୍ରକର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର,ସ୍ଵତନ୍ତ୍ର ଅତିଥି ଜିଲାପାଳ ଦିଲୀପ ରାଉତରାଏ, ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ସମାନିତ ବକ୍ତା ଭାବରେ ତ୍ରିଦଣ୍ଡୀ ସ୍ଵାମୀ ଭକ୍ତିରକ୍ଷକ ସିଦ୍ଧାନ୍ତ ମହାରାଜ ପ୍ରଭୃତି ଯୋଗଦେଇ ଶ୍ରୀଚୈତନ୍ୟ ଜୀବନଦର୍ଶନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଓ ଜିଲାପାଳ ତଥା ଅନ୍ୟତମ ଅତିଥି ମାନଙ୍କ ଦ୍ଵାରା ଭଦ୍ରକ ନୃତ୍ୟ ସଙ୍ଗୀତ ପରିଷଦର ଅଧ୍ୟକ୍ଷ ତଥା ଧାମନଗର ମାଟିର ପ୍ରତୀଭା ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକ ଓ ନୃତ୍ୟ ନିର୍ଦ୍ଦେଶିକା ଗୁରୁ ସ୍ଵାଗତିକା ରାଉତ ପ୍ରଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାଦ୍ୱାରା ଗୁରୁ ଶ୍ରୀ ମଲ୍ଲିକ ଧାମନଗର ମାଟିର ଗୌରବ ବୃଦ୍ଧି କରିପାରିଛନ୍ତି। ଶେଷରେ ଓଡିଶା ସରକାରଙ୍କ ତରଫରୁ ଭଦ୍ରକ ନୃତ୍ୟ ସଂଗୀତ ପରିଷଦ ଦ୍ବାରା ଚିତାକର୍ଷକ ଓଡିଶୀ ନୃତ୍ୟ ଓ ସୁଦୂର କଳାହାଣ୍ଡିର ବଜାସାଲ ଓ ସମ୍ବଲପୁରୀ ନୃତ୍ୟଗୀତ ପରିବେଷଣ କରାଯାଇଥିଲା।


