ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା

ଧାମନଗର (ଓ୍ବାଇଏନଏସ): ସ୍ଵାଧୀନତା ଦିବସ ୨୦୨୬ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ଏନ ଏ ସି କାର୍ଯ୍ୟାଳୟ ତରଫରୁ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ,ଧାମନଗର ବାଳିକା ଉଚ୍ଚ ବିଦ୍ୟାଳୟ,ଏବଂ ଜଗନ୍ନାଥ ବିଦ୍ୟାପୀଠ କାଙ୍କରାଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଶନିବାର ଏନ ଏ ସି ସଭାଗୃହ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ସକାଳ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ୧୨.୧୦ରୁ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟରୁ ମୋଟ ୨୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ମୂଲ୍ୟାୟନ ପରେ ପ୍ରକାଶିତ ଫଳାଫଳରେ ଚିତ୍ରାଙ୍କନ ବିଭାଗରେ ଧାମନଗର ସରକାରୀ ହାଇସ୍କୁଲର ଶାହା ତସିବ ରାଜା ପ୍ରଥମ, ପୁଷ୍ପାଞ୍ଜଳି ବେହେରା ଦ୍ୱିତୀୟ ଓ ଧାମନଗର ବାଳିକା ହାଇସ୍କୁଲର ଭୂମିକା ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସାଧାରଣ ଜ୍ଞାନ ବିଭାଗରେ ଜଗନ୍ନାଥ ବିଦ୍ୟାପୀଠ,କାଙ୍କରାର ସତ୍ୟଜିତ ପାତ୍ର ପ୍ରଥମ,ଧାମନଗର ସରକାରୀ ହାଇସ୍କୁଲର ଗୌରାଙ୍ଗ ମହାରଣା ଦ୍ୱିତୀୟ ଓ ଶୁଭ୍ରରଞ୍ଜନ ରାଉତ ତୃତୀୟ ସ୍ଥାନ ହାସଲ କରିଥିଲ। ଏହି ଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱରେ ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନାଙ୍କ ସଂଚାଳନ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ନଗର ପ୍ରତିନିଧି ସରୋଜ ମହାପାତ୍ର ଏନ୍‌ ଏ ସି ଉପାଧ୍ୟକ୍ଷ ମହମ୍ମଦ ଓସିମ ଏଜଦାନି କାଦ୍ରୀ,ସରକାରୀ ଓକିଲ ବିଜୟ କୁମାର ରାମ,ଏବଂ କାଉନସିଲର ଜୟନୁଲ ହକ ପ୍ରମୁଖ ଅତିଥିମାନେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା,ସଂସ୍କାର ଓ ଅଧ୍ୟବସାୟର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇବା ସହ ନିଷ୍ଠାର ସହ ପାଠପଢ଼ା କରି ଭବିଷ୍ୟତରେ ସମାଜ ଓ ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଭାଗ୍ୟଲକ୍ଷ୍ମୀ ଅଗସ୍ତି,ଶିକ୍ଷକ ସୁଧାକର ମହାନ୍ତି,ପ୍ରଶାନ୍ତ ନାୟକ,ଅଭିମନ୍ୟୁ ଶଙ୍ଖୁଆ ପ୍ରମୁଖ  ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ବରିଷ୍ଠ କିରାଣୀ ଧନେଶ୍ଵର ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ