ଯୌତୁକ ନିର୍ଯ୍ୟାତନା ଓ ସ୍ଵାମୀଙ୍କ ଦ୍ଵିତୀୟ ବିବାହ ଅଭିଯୋଗ: ମକଦ୍ଦମା ରୁଜୁ କଲା ପୋଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍.ପୁଷ୍ପା ରେଡ୍ଡୀ ଙ୍କୁ ତାଙ୍କ ସ୍ଵାମୀ ଏନ୍. ସୂର୍ଯ୍ୟ ରେଡ୍ଡୀ ଏବଂ ଶାଶୁ ,ଶ୍ବଶୁର,ନଣନ୍ଦ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି।ପୁଷ୍ପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାର ପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୦/୨୬ ଅନୁଯାୟୀ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ.ଆଇ ସୋଫିଆ ମିଶ୍ର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ପ୍ରାୟ ୧୦ ବର୍ଷ ପୂର୍ବେ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ପୁଷ୍ପା ବଜାପଲ୍ଲୀ ଗ୍ରାମର ଏନ୍. ବାଲାଜୀ ଙ୍କ ପୁଅ ସୂର୍ଯ୍ୟ ଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ୬୦ ହଜାର ଟଙ୍କା ,ବିଭିନ୍ନ ସୁନା ଗହଣା ଓ ଘରକରଣା ଆସବାବ ପତ୍ର ଦିଆଯାଇଥିଲା।ଉଭୟଙ୍କ ଔରସରୁ ଗୋଟିଏ ପୁତ୍ର ଓ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ।କନ୍ୟା ଜନ୍ମ ହେବା ପରେ ତାଙ୍କୁ ବାପ ଘରୁ ଅଧିକା ଯୌତୁକ ଆଣିବା ପାଇଁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।ଏପରିକି ସେମାନେ ଜନ୍ମିତ କନ୍ୟା ର ଉପଯୁକ୍ତ ଚିକିତ୍ସା ନକରିବାରୁ ୧୭ ମାସ ପରେ କନ୍ୟା ସନ୍ତାନଙ୍କ ମୃତ୍ୟୁ ଘଟିଥିଲା। ପୁଷ୍ପା ୪୦ ହଜାର ଟଙ୍କା ଗ୍ରୁପ୍ ଲୋନ ଆଣିଥିବା ବେଳେ ତାଙ୍କ ସ୍ବାମୀ ସମସ୍ତ ଟଙ୍କା ଛଡାଇ ନେଇଥିଲେ। ସ୍ବାମୀ ଓ ଶ୍ବଶୁର ଘର ଲୋକେ ତାଙ୍କୁ ଅକାରଣ ରେ ସଦାସର୍ବଦା ମାଡ଼ ମାରିବାରୁ ସେ ଝରିପଦର ଗ୍ରାମ ସ୍ଥିତ ବାପ ଘରକୁ ଚାଲିଆସିଥିଲେ।ଏହାର ସୁଯୋଗ ନେଇ ସ୍ବାମୀ ଗୋକର୍ଣ୍ଣପୁର ଗ୍ରାମର ଅନ୍ୟ ଜଣେ ଯୁବତୀ ସନ୍ତୋଷୀ ରେଡ୍ଡୀ ଙ୍କୁ ଦ୍ଵିତୀୟ ବିବାହ କରି ଘରେ ରଖିଥିବା ଏତଲାରେ ଉଲ୍ଲେଖ ରହିଛି।


