ଗ୍ରୀଷ୍ମ ଦିନରେ ନକଲି ପାନୀୟ ଦ୍ରବ୍ୟ ପ୍ୟାକେଟ ମାଳ ମାଳ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-୧୪/୦୪:-ଡହ ଡହ ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ ବଜାରରେ ମିଳୁଥିବା ପାଣି ବୋତଲ ହେଉ ଅବା ପାନୀୟ ଦ୍ରବ୍ୟ ଭାବେ ମିଳୁଥିବା ଦହି ର ମାନ କିଏ ଦେଖୁଛି ? ପ୍ରାୟ ଗ୍ରାହକ ସିଲ ଖୋଲି ଢକ ଢକ କରି ପିଇଯାଉଛନ୍ତି। “ସୁଦ୍ଧ ଡ୍ରିଙ୍କିଙ୍ଗ ୱାଟର “ହେଉ ସୁଦ୍ଧ ଦହି ନାଁରେ ନିମ୍ନ ମାନର ପାଣି ଅବା ଘୋଳ ଦହି ଦେଈ ଗ୍ରାହକ ଙ୍କ ଆଖିରେ ଧୂଳି ଦିଆଯାଉଛି। ବଜାର ରେ ଗ୍ରାହକ ଙ୍କୁ ଚକମା ଦେଈ ନାମୀଦାମୀ କମ୍ପାନୀର ନାଁ ଭଳି ନାଁ ଦେଈ ପାଣି ବୋତଲ ତିଆରି ହେଉ କିମ୍ବା ଘୋଳ ଦହି ତିଆରି କରୁଥିବା ବେନାମୀ କମ୍ପାନୀ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଛନ୍ତି। ଦିନକୁ ଦିନ ନକଲି ପାଣି ବୋତଲ କାରବାର କାୟା ବିସ୍ତାର କରୁଥିବା ବେଳେ ପ୍ରଶାସନ ପକ୍ଷରୁ କିନ୍ତୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନି। ନିଜ ଆଡୁ ଯାଞ୍ଚ କରିବା ବଦଳରେ ଅଭିଯୋଗକୁ ଅପେକ୍ଷା କରି ବସୁଛି ପ୍ରଶାସନ। ପାଣି ପାଉଚ ହେଉ ବା ପାଣି ବୋତଲ କିମ୍ବା ଖରା ଦିନରେ ମିଳୁଥିବା ଘୋଳ ଦହି ପ୍ୟାକେଟ ପ୍ରସ୍ତୁତ କରିବା ଲାଗି କମ୍ପାନୀ କୁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବି ଆଇ ଏସ )ରୁ ସ୍ୱୀକୃତିପତ୍ର ଦରକାର।ଏହି ସ୍ୱୀକୃତିପତ୍ର ଦେବା ପୂର୍ବରୁ ବି ଆଇ ଏସ ସଦସ୍ୟ ଉକ୍ତ ୟୁନିଟ ପରିଦର୍ଶନ କରିଥାନ୍ତି। ଏହା ସହ ପାଣି ପ୍ରକ୍ରିୟାକରଣ ବ୍ୟବସ୍ଥା ସହ ପାଣିର ମାନ ଯାଞ୍ଚ କରିଥାନ୍ତି। ଏହା ପରେ ପ୍ରତି ୬ମାସରେ ଥରେ ଉକ୍ତ କମ୍ପାନୀରୁ ପାଣି ଅଣାଯାଇ ଲାବୋରେଟୋରୀରେ ପରୀକ୍ଷା କରାଯାଇଥାଏ। ଫଳରେ ନିୟମିତ ଭାବେ ପାଣିର ଶୁଦ୍ଧତା ବା ମାନ ନିର୍ଧାରଣ କରିବା ସମ୍ଭବ ହୁଏ। ଯେଉଁ କମ୍ପାନୀ ଗୁଡିକ ବିନା ସ୍ୱୀକୃତିପତ୍ରରେ ପାଣି ବୋତଲ ପ୍ରସ୍ତୁତ କରି ବଜାରକୁ ଛାଡୁଛନ୍ତି ସେମାନେ ବୋରୱେଲ କିମ୍ବା ପାଣି ପାଇପି ଲାଇନିରୁ ଜଳ ନେଇ ତାକୁ ବୋତଲରେ ପ୍ୟାକ କରି ବଜାର କୁ ଛାଡ଼ୁଛନ୍ତି। ଶସ୍ତା ଦରରେ ବଜାରକୁ ଛାଡୁଥିବାରୁ ଦୋକାନୀ ମାନେ ଏହାକୁ ବିକ୍ରି କରୁଛନ୍ତି। ବି ଆଇ ଏସ ସ୍ୱୀକୃତି ପ୍ରାପ୍ତ କମ୍ପାନୀମାନେ ୨୪ବୋତଲ ବିଶିଷ୍ଟ ପାଣି ଟ୍ରେ କୁ ହୋଲସେଲ ଦରରେ ପ୍ରାୟ ୧୪୦ଟଙ୍କାରେ ବିକ୍ରି କରୁଛନ୍ତି। ବୋତଲ ପିଛା ପ୍ରାୟ ୫ ଟଙ୍କା ୮୦ପଇସା ମୂଲ୍ୟରେ କିଣି ବଜାରରେ ୧୦ଟଙ୍କାରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ।କିନ୍ତୁ ସମାନ ପାଣି ବୋତଲ, ସମାନ ଡିଜାଇନିର ଷ୍ଟିକର ସହ ନନବ୍ରାଣ୍ଡ ଅର୍ଥାତ ବେନାମୀ କମ୍ପାନୀ ୪ଟଙ୍କା ୨୦ପଇସା ହୋଲସେଲ ମୂଲ୍ୟରେ ଖୁଚୁରା ବ୍ୟବସାୟୀ ଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ଫଳରେ ଖୁଚୁରା ବ୍ୟବସାୟୀ ଗୋଟିଏ ବୋତଲ ବିକିଲେ ୫ଟଙ୍କା ୮୦ପଇସା ଲାଭ ପାଉଛନ୍ତି। ତେଣୁ ନନବ୍ରାଣ୍ଡ ପାଣି ବୋତଲ କୁ ଅଧିକ ସଂଖ୍ୟାରେ ବିକିବାକୁ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ସେହିପରି ନନବ୍ରାଣ୍ଡ ର ଘୋଳ ଦହି ପ୍ୟାକେଟ ଅସ୍ତରଙ୍ଗ ବଜାର ସହ ଗାଁ ଗହଳି ଦେଖିବାକୁ ମିଳୁଛି। ପ୍ୟାକେଟ ରେ ତିଆରି ତାରିଖ ରହୁନାହିଁ।
ଅନ୍ୟ ପକ୍ଷରେ କେବଳ ପାଣି ବୋତଲ ନୁହେଁ ପାଣି ଜାର ବି ବହୁଳ ମାତ୍ରାରେ ବଜାରକୁ ଆସୁଛି। ବିଶେଷକରି ବାହାଘର, ବ୍ରତଘର କିମ୍ବା ଅନ୍ୟ କୌଣସି ସାମାଜିକ କାର୍ଯ୍ୟକ୍ରମରେ ପାଣି ଜାର ବ୍ୟବହାର ହେଉଥିବା ବେଳେ ଏହାର ମାନ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉ ନାହିଁ। ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଅନେକ ପାଣି ଉଦ୍ୟୋଗ ଘରେ ଘରେ ଖୋଲିଗଲାଣି। ଏ ସବୁ ଉଦ୍ୟୋଗ ହିସାବ ସ୍ଥାନୀୟ ପ୍ରଶାସନ ପାଖରେ ନଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ମନଇଛା କାରବାର କରିବାକୁ ସୁଯୋଗ ପାଉଛନ୍ତି। ଆଉ କିଛି ବୋତଲରେ ଆଇ ଏସ ଆଇ ବ୍ରାଣ୍ଡ ଷ୍ଟାମ୍ପ ମାରି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଉଥିବାରୁ ଦେଖିବାକୁ ମିଳୁଛି। ଫଳରେ ନକଲି ଓ ଅସଲି ଜାଣିବା ମୁସ୍କିଲ ହୋଇପଡୁଛି।
ମିଳିଥିବା ସୂଚନା ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ରେ ପ୍ରାୟ ୨୦ରୁ ଉର୍ଦ୍ଧ ଏଭଳି ବେନାମୀ କମ୍ପାନୀ କୌଣସି ସ୍ୱୀକୃତି ପ୍ରାପ୍ତ ଉଦ୍ୟୋଗ ନ ହୋଇ ପାଣି ବୋତଲ ତିଆରି କରି ଅସ୍ତରଙ୍ଗ ଓ କାକଟପୁର ବଜାର କୁ ଛାଡୁଛନ୍ତି। ଯାହାକୁ ଲୋକେ ବ୍ୟବହାର କରୁଛନ୍ତି। କିନ୍ତୁ ଏହାର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହାଛଡା ଦୀର୍ଘ ଦିନ ଧରି ପାଣି ବୋତଲରେ ପ୍ୟାକ କରି ରଖାଯାଇଥାଏ। ଯାହାଫଳରେ ପାଣି ଦିନକୁ ଦିନ ନଷ୍ଟ ହେବାକୁ ଲାଗେ। ଏଭଳି ମାନ ନଥିବା ପାଣିକୁ ନିୟମିତ ବ୍ୟବଧାନରେ ପିଇଲେ ଡ଼ାଇରିଆ, ଜଣ୍ଡିସ ସହିତ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ନକଲି ବ୍ରାଣ୍ଡ ଲଗାଇ ବିକ୍ରି ହେଉଥିବା ପାଣି ବୋତଲ କିମ୍ବା ଘୋଳ ଦହି କୁ ଯାଞ୍ଚ କରାଯାଉ।


