ହନୁମାନ ଜୟନ୍ତୀ ପାଳନ
ମୁନିଗୁଡା,୧୪/୪ (ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ମୁନିଗୁଡାର ବିଭିନ୍ନ ହନୁମାନ ମନ୍ଦିରରେ ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିନ ସହ ବିଶାଳ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସଂକଟ ମୋଚନ ହନୁମାନ ମନ୍ଦିର ଠାରେ ମୁଖ୍ୟ ପୂଜାରୀ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ପ୍ରାତଃରୁ ହନୁମାନଙ୍କ ବିଭିନ୍ନ ପୂଜାର୍ଚନା କରିବା ପରେ ମୂର୍ତ୍ତିରେ ସିନ୍ଦୁର ଲେପନ କରି ମଙ୍ଗଳ ଆଳତୀ କରିଥିଲେ l ପରେ ମନ୍ଦିର ପରିସରରେ ପଣ୍ଡିତ ବିଶ୍ୱନାଥ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ପୁଜାର୍ଚ୍ଚନା ଓ ହୋମଯଜ୍ଞ ଆଦି ପୂଜା ଅନୁଷ୍ଠିତ ହୋଇଥିଲା l କର୍ତା ଭାବେ ରାଜୀବ ଲୋଚନ ଦାସ ଓ ସଂଯୁକ୍ତା ଦାସ କାର୍ଯ୍ୟ ତୁଲାଇଥିବା ବେଳେ ପୁରୋହିତ ରଜତ ଆଚାର୍ଯ୍ୟ ସହାୟତା କରିଥିଲେ l ଏହି ଅବସରରେ ଭକ୍ତ ମାନଙ୍କ ଦ୍ୱାରା ମନ୍ଦିର ପରିସରରେ ୧୦୮ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ବିଷୁବ ପଣା ସଂକ୍ରାନ୍ତି ଅବସରରେ ମନ୍ଦିର ପରିସରରେ ହନୁମାନ ମନ୍ଦିର ପରିଚାଳନା କମିଟିର ଶ୍ରୀକାନ୍ତ ସାହୁ କାଳିଆ,ମନୋଜ ସାହୁ,ଗୋପାଳ ବିଡିକା, ଆୟୁଷ ମାଦଳା, ମୌସମ ବେହେରା, ଶୁଭମ ସାହୁ, ଆଶୁତୋଷ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ଦହି ପଣା ଭୋଗ ବଣ୍ଟନ କରିଥିଲେ । ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ କମିଟି ତରଫରୁ ହାଲୁଆ ଭୋଗର ଆୟୋଜନ କରାଯାଇଥିଲା। ମୁନିଗୁଡାର ବିଭିନ୍ନ ହନୁମାନ ମନ୍ଦିରର କମିଟି ମାନଙ୍କରେ ବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ସହ ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା l ସେହିପରି ମୁନିଗୁଡାର ମାଆ ଠାକୁରାଣୀ ଖରୁଡ଼ା ସମାଜ, ଭଣ୍ଡାରୀ ସମାଜ ସହ ବିଭିନ୍ନ ଛକ ମାନଙ୍କରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ପଣା ଭୋଗ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ମୁନିଗୁଡାର ଗୌଡ଼ସାହିସ୍ଥିତ ବିବେକାନନ୍ଦ ନନ୍ଦ ଶିକ୍ଷା କେନ୍ଦ୍ର ନିକଟସ୍ଥ ପଡିଆ ପରିସରରେ ମୁନିଗୁଡାର ଆମ ସଂକୃତି ଆମ ପରମ୍ପରା ପରିବାର ତରଫରୁ କମିଟିର ଆବାହକ ରାମକୃଷ୍ଣ ମିଶ୍ରଙ୍କ ତତ୍ୱାବଧାନ ଓ ସୁଦାମ ଚରଣ ପଣ୍ଡାଙ୍କ ସଂଯୋଜନାରେ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳନ ହୋଇଯାଇଛି। ସକାଳୁ ମଣ୍ଡପ ନିକଟରେ ହନୁମାନ ଚାଲିସା,ପବିତ୍ର ପଣା ବଣ୍ଟନ,ପ୍ରସାଦ ସେବନ ସହ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦାସକାଠିଆ ପରିବେଷଣ ହୋଇଥିଲା। ଅତିଥିଭାବେ ବିଧାୟକ ନୀଳମାଧଵ ହିକକା ଯୋଗଦେଇ ଥିଲେ। ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ଆଳତୀ ଭୋଗ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସମାରୋହ ଆୟୋଜିତ କରାଯାଇଥିଲା। ସେହିପରି ପ୍ରତେକ ବର୍ଷ ଭଳି ମୁନିଗୁଡାର ବଜରଙ୍ଗ ଦଳ ତରଫରୁ ମହାଆଡମ୍ବରର ସହ ମୁନିଖୋଲସ୍ଥିତ ଆରଏମସି ଗୋଦାମ ନିକଟସ୍ଥ ହନୁମାନ ବାଟିକା ପରିସରରୁ ପୁଜାର୍ଚ୍ଚନା କରି ଶତାଧିକ ବଜରଙ୍ଗ ଦଳର ସଦସ୍ୟ ମାନଙ୍କ ସମେତ ହନୁମାନଙ୍କ ଭକ୍ତ, ଜନସାଧାରଣ,ଯୁବକ ଯୁବତୀ ଓ ମହିଳା ମାନେ ଏକତ୍ରିତ ହୋଇ ବଡ଼ ପଟୁଆରରେ ଏକ ଭବ୍ୟ ସଭାଯାତ୍ରା ବାହାରି ହିନ୍ଦୁତ୍ୱର ପରିଚୟ ଦେଇ ଜୟ ଶ୍ରୀରାମର ନାରା ଦେଇ ସହର ପରିକ୍ରମ କରି ଗୋବର୍ଦ୍ଧନସ୍ଥିତ ହନୁମାନ ମନ୍ଦିର ଠାରେ ପହଞ୍ଚିଥିଲା l ସେଠାରେ ସମସ୍ତ ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣଭୋଗର ଆୟୋଜନ କରାଯାଇଥିଲା l ଉକ୍ତ ସଭାଯାତ୍ରାରେ ମୁନିଗୁଡା ବଜରଙ୍ଗ ଦଳର ସମସ୍ତ ସଦସ୍ୟ ଓ ଶତାଧିକ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ।


