ସାର ପାଇଁ ଚାଷୀଙ୍କ ହୋ ହଲ୍ଲା: ତହସିଲଦାର ଓ ପୋଲିସ ଉପସ୍ଥିତିରେ ବଣ୍ଟନ ହେଲା ସାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମ ଶ୍ରୀ ରଘୁନାଥ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ୟୁରିଆ ସାର ତୁରନ୍ତ ପ୍ରଦାନ ନିମନ୍ତେ ୫ ଶହ ରୁ ଉର୍ଦ୍ଧ୍ବ ଚାଷୀ ହୋ ହଲ୍ଲା କରିଥିଲେ।ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦିକା ଆର. ରୋଜାଲିନ ରେଡ୍ଡୀ ଙ୍କୁ କିଛି ଚାଷୀ ଆପତ୍ତି ଜନକ ଭାଷାରେ ଗାଳି କରିବାରୁ ସେ କାର୍ଯ୍ୟାଳୟରେ ତାଲା ପକାଇ ଫେରିଯିବାକୁ ବାଧ୍ୟ ହୋଇଥିଲେ।ପରେ ଉପରିସ୍ଥ ଅଧିକାରୀ ଙ୍କୁ ସମସ୍ତ ଘଟଣା ଜଣାଇଥିଲେ।ଖବର ପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,କୃଷି ଅଧିକାରୀ ପ୍ରମୁଖ ସେବା ସମବାୟ ସମିତି କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉପସ୍ଥିତ ସମବାୟ ସଭାପତି ରାମକୃଷ୍ଣ ଚୌଧୁରୀ,ସମ୍ପାଦିକା ଏବଂ ଚାଷୀ ମାନଙ୍କ ସହ ଆଲୋଚନା କରିବା ପରେ ପୋଲିସ ଉପସ୍ଥିତିରେ ବିକ୍ରୀ ପାଇଁ ମହଜୁଦ ଥିବା ୪୫୦ ସାର ପ୍ୟାକେଟ ମଧ୍ୟରୁ କେବଳ ସମିତି ରୁ କୃଷି ଋଣ ନେଇଥିବା ଚାଷୀ ଙ୍କୁ ୨୭୦ ଟି ସାର ପ୍ୟାକେଟ ବିକ୍ରୀ କରାଯାଇଥିଲା। ଏନେଇ ସମବାୟ ସଭାପତି ଙ୍କୁ ପଚାରିବାରୁ ଏଠାକାର ଚାଷୀ ଙ୍କୁ ୧ ଲକ୍ଷ ୭୦ ଟନ ୟୁରିଆ ସାର ଆବଶ୍ୟକ ଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ମାତ୍ର ୭୦ ଟନ ସାର ମିଳିଛି ।ତେଣୁ ସମସ୍ତ ଚାଷୀ ଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଦିଆଯାଇ ପାରୁନାହିଁ। କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ସାର ର ସୁଷମ ବଣ୍ଟନ କୁ ବିଭ୍ରାଟ କରିବା ପାଇଁ ଉଦ୍ୟମ କରୁଥିବା କହିଛନ୍ତି।ସମବାୟ ସମିତି ପକ୍ଷରୁ ଇଣ୍ଡେଣ୍ଟ କରାଯାଇଥିବା ଅନୁଯାୟୀ ୟୁରିଆ ସାର ମିଳିଲେ ସମସ୍ତ ଚାଷୀ ଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


