ବର୍ଷାଜଳ ନିଷ୍କାସନ ଦାବିରେ ଚାଷୀଙ୍କ ରାସ୍ତାରୋକ
ହାଟଡିହି (ଓ୍ବାଇଏନଏସ): ବଡରମ୍ପାସ ଡିଷ୍ଟ୍ରିବ୍ୟୁଟାରୀ କେନାଲରେ ଅବ୍ୟବସ୍ଥା ଯୋଗୁଁ ବର୍ଷାଜଳ ଠିକ୍ ଭାବେ ନିଷ୍କାସିତ ହୋଇପାରୁନଥିବାରୁ ଚାଷ ଜମିରେ ପାଣି ଜମି ରହୁଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଚାଷୀମାନେ ରାସ୍ତାରୋକ କରିଥିଲେ। ଦୀର୍ଘଦିନ ଧରି ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସ୍ଥାୟୀ ପଦକ୍ଷେପ ନିଆଯାଉନଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଶାସଙ୍ଗ, ସୁଲଣ, ଆବୁଲୁପୁରା, ବିରିଡି, ସରଳ, କୋଳିପଦି ଆଦି ଗ୍ରାମରୁ ଆସୁଥିବା ବର୍ଷାଜଳ ବଡରମ୍ପାସ ଡିଷ୍ଟ୍ରିବ୍ୟୁଟାରୀ କେନାଲ ଦେଇ ନିଷ୍କାସନ ହେବାର ବ୍ୟବସ୍ଥା ରହିଛି। କିନ୍ତୁ କେନାଲରେ ଅବରୋଧ ଓ ଅନ୍ୟାନ୍ୟ ଅବ୍ୟବସ୍ଥା ଯୋଗୁଁ ବର୍ଷାଜଳ ସ୍ୱାଭାବିକ ଭାବେ ନିଷ୍କାସିତ ହୋଇପାରୁନାହିଁ। ଏହାର ପ୍ରଭାବରେ ନିକଟସ୍ଥ ଚାଷ ଜମିରେ ପାଣି ଜମି ରହୁଛି। ଚାଷୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ପ୍ରାୟ ଏକ ମାସ ତଳେ ବିଭାଗୀୟ ଅଧିକାରୀମାନେ କେନାଲରେ ଏକ ଘାଇ କରିଥିଲେ। ତେବେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଘାଇକୁ ପୋତାଯାଇନାହିଁ। ଫଳରେ ବର୍ଷା ହେଲେ କେନାଲର ପାଣି ଘାଇ ଦେଇ ବାହାରି ଟୁକୁଣା, ଈଶଳା, ଖସିପୁର, ଓସ୍ତପାଳ, ଧାନଘର, ସଡ଼ଙ୍ଗା ଓ ଇଞ୍ଚୋଳ ଆଦି ଅଞ୍ଚଳକୁ ପ୍ରବେଶ କରୁଛି। ଏହା ଯୋଗୁଁ ବହୁ ଚାଷ ଜମି ପାଣିରେ ବୁଡ଼ି ରହୁଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ ଆଗେଇ ନେବାରେ ଅସୁବିଧା ଭୋଗୁଛନ୍ତି। ଚାଷୀମାନଙ୍କ କହିବା ଅନୁଯାୟୀ, ବିଭିନ୍ନ ଗ୍ରାମରୁ ଆସୁଥିବା ବର୍ଷାଜଳ କେନାଲ ମଧ୍ୟ ଦେଇ ନିଷ୍କାସିତ ହେବାର ସୁବ୍ୟବସ୍ଥା ଥିଲେ ମଧ୍ୟ କେନାଲରେ ଥିବା ଅବରୋଧ ଯୋଗୁଁ ଏହା ସମ୍ଭବ ହେଉନାହିଁ। ଏନେଇ ସମ୍ପୃକ୍ତ କେନାଲ ବିଭାଗର ଅଧିକାରୀଙ୍କୁ ଏକାଧିକ ଥର ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ କେନାଲର ଅବରୋଧ ହଟାଇବା, ଘାଇ ପୋତିବା ଏବଂ ବର୍ଷାଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା ଦାବିରେ ବଡ଼ରମ୍ପାସ ସରପଞ୍ଚ ରବୀନ୍ଦ୍ର କୁମାର ଜେନା, ଇଞ୍ଚଳ ସରପଞ୍ଚ ପ୍ରତିନିଧି ବିଜୟ କୁମାର ମହାପାତ୍ର, ଲଲାଟେନ୍ଦୁ କେଶରୀ ଜେନା, ନଳିନୀକାନ୍ତ ଧଳ, ତପନ କୁମାର ପ୍ରଧାନ, ରତ୍ନାକର ଜେନା, ମାୟାଧର ମହାନ୍ତି, ହରିହର ଦାସ, ଅକ୍ଷୟ ମଲ୍ଲିକ, ସୁମନ୍ତ ମଲ୍ଲିକ, ବାଇଧର ସେଠୀ ଓ ସୁଦାମ ଶଙ୍ଖୁଆ, ହରିହର ଧଳ, ଅରୁଣ ପ୍ରଧାନ, ବାବନ ପ୍ରଧାନ, କ୍ଷେତ୍ରବାସୀ ନାୟକ, ଦୁର୍ଯ୍ୟୋଧନ ମଲ୍ଲିକଙ୍କ ସମେତ ଶତାଧିକ ଚାଷୀ ଆଜି ଅଣା ସମଣା ରାସ୍ତାର ଇଶଳା ନିକଟରେ ରାସ୍ତାରୋକ କରିଥିଲେ। ଖବରପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଚାଷୀମାନେ ନିଜ ଜିଦରେ ଅଟଳ ରହିଥିଲେ। ଏହାଦ୍ୱାରା ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଗାଡି ମୋଟର ସବୁ ଚଳାଚଳ ବନ୍ଦ ହୋଇଯାଇଥିଲା। ରାସ୍ତାରୋକ ଖବର ପାଇ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ, ଆଇ.ଆଇ.ସି ଧର୍ମେନ୍ଦ୍ର ଶାନ୍ତି, ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ ବେହେରା , ସହକାରୀ ଯନ୍ତ୍ରୀ ଦୀପକ କୁମାର ସାମଲ , କନିଷ୍ଠ ଯନ୍ତ୍ରୀ ଶୁଭ୍ରାଂଶୁ ଶେଖର ପ୍ରମୁଖ ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଚାଷୀ ମାନଙ୍କ ସହିତ ଆଲୋଚନା କରି ଆସନ୍ତା ଦୁଇଦିନ ଭିତରେ ଘାଇ ପୋତିବାକୁ ପ୍ରତିଶୃତି ଦେବା ସହିତ ବର୍ଷାଦିନ ପରେ ଚାଷୀମାଙ୍କ ସହିତ ଆଲୋଚନା କରି ସ୍ଥାୟୀ ସମାଧାନର ବାଟ ବାହାର କରିବାକୁ ପ୍ରତିଶୃତି ଦେବାପରେ ଯାଇ ରାସ୍ତାରୋକ ହଟିଥିଲା।


