ଏସ୍‌ଆଇଆରରେ ଆବେଦନ ଅନ୍ତିମ ପ୍ରକାଶନ ସଂରକ୍ଷିତ

ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ଚାଲିଥିବା ଭୋଟର ତାଲିକା ଯାଞ୍ଚ, ନୋଟିସ୍ ବିତରଣ ଏବଂ ଶୁଣାଣି ପ୍ରକ୍ରିୟାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଇଆର୍‌ଓ, ଏଇଆର୍‌ଓ, ବିଏଲ୍‌ଓ ଓ ନିର୍ବାଚନ କର୍ମଚାରୀମାନେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ ଭାବେ ସମ୍ପାଦନ କରୁଛନ୍ତି। ଜିଲ୍ଲାରେ ମୋଟ ୫,୨୯,୧୩୭ଟି ନୋଟିସ୍ ପ୍ରସ୍ତୁତ କରିବାକୁ ଥିବାବେଳେ ୫,୨୯,୦୬୯ଟି (୯୯.୯୯ ପ୍ରତିଶତ) ନୋଟିସ୍ ସୃଷ୍ଟି କରାଯାଇଛି। ସେଥିମଧ୍ୟରୁ ୫,୨୭,୮୨୬ଟି (୯୯.୭୫ ପ୍ରତିଶତ) ନୋଟିସ୍ ସଫଳତାର ସହ ବିତରଣ କରାଯାଇଛି। ଶୁଣାଣି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୩,୪୦,୧୫୭ଟି (୬୪.୨୯ ପ୍ରତିଶତ) ମାମଲାର ଶୁଣାଣି ସମ୍ପନ୍ନ ହୋଇଥିବାବେଳେ ୧,୮୮,୯୨୯ଟି ମାମଲାର ଶୁଣାଣି ବାକି ରହିଛି। ସେହିପରି ଡିଇଓ ସ୍ତରରେ ୧,୭୧,୯୯୮ଟି ଆବେଦନ ଯାଞ୍ଚ କରାଯାଇଥିବାବେଳେ ମାତ୍ର ୭୪ଟି ଆବେଦନ ଯାଞ୍ଚ ବାକି ରହିଛି। ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୨,୬୩,୦୧୭ଟି ଆବେଦନ ଅନ୍ତିମ ଭୋଟର ତାଲିକା ପ୍ରକାଶନ ପାଇଁ ସଂରକ୍ଷିତ ରହିଛି। ସେଥିମଧ୍ୟରୁ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨,୦୦,୪୮୩ଟି ଆବେଦନ ସଂରକ୍ଷିତ ରହିଥିବାବେଳେ ଅନ୍ୟ ନିର୍ବାଚନମଣ୍ଡଳୀଗୁଡ଼ିକରେ ମଧ୍ୟ ଯାଞ୍ଚ ଓ ଶୁଣାଣି କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ ଆବେଦନର ସ୍ୱଚ୍ଛ, ନିରପେକ୍ଷ ଏବଂ ସମୟବଦ୍ଧ ଶୁଣାଣି ସୁନିଶ୍ଚିତ କରାଯାଉଛି। ଅବଶିଷ୍ଟ ଶୁଣାଣି ଓ ଯାଞ୍ଚ କାର୍ଯ୍ୟ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରି ଅନ୍ତିମ ଭୋଟର ତାଲିକା ପ୍ରକାଶନ ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ