ରେଳ ୟୁଜର ୱେଲଫେଆର ଆସୋସିଏସନର ପ୍ରଥମ ବାର୍ଷିକ ବୈଠକ
ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁର ରେଳ ୟୁଜର ୱେଲଫେଆର ଆସୋସିଏସନ ପକ୍ଷରୁ ପ୍ରଥମ ବାର୍ଷିକ ବୈଠକ ରବିବାର ସ୍ଥାନୀୟ ରେଳ ଷ୍ଟେସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ର କାର୍ଯ୍ୟକାରୀ ସଭାପତି ସି.ଏଚ୍. ମହେଶ୍ୱର ରାଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବ୍ରହ୍ମପୁର ପୂର୍ବତଟ ରେଳପଥର ଅତିରିକ୍ତ ଡିଭିଜନାଲ ପରିଚାଳକ ଆର୍.ଏନ୍. ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଡେପୁଟି କଲେକ୍ଟର ସୁନୀଲ ସାଇ ଦେବାଶିଷ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଓ ଏନ୍. ନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିଥିବା ଛତ୍ରପୁର ରେଳ ଷ୍ଟେସନର ଉନ୍ନତିକରଣ ଉପରେ କୁହାଯାଇଥିଲା ସେଥି ମଧ୍ୟ ରୁ ଦ୍ରୁତଗାମୀ ଟ୍ରେନର ଡବାଗୁଡ଼ିକ ପ୍ଲାଟଫର୍ମ ବାହାରେ ରହୁଥିବାରୁ ଯାତ୍ରୀମାନେ ଚଢ଼ିବା ଓ ଓହ୍ଲାଇବା ସମୟରେ ହଇରାଣ ହେଉଥିବା ବିଷୟ ରହିଥିଲା। ଏହା ସହ ମଧ୍ୟରାତ୍ରିରେ ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଷ୍ଟେସନ ନିକଟସ୍ଥ ଫାଟକଗୁଡ଼ିକରେ ଓଭରବ୍ରିଜ ନିର୍ମାଣ, ପ୍ଲାଟଫର୍ମ ସଂଖ୍ୟା ବୃଦ୍ଧି ଓ ଆଧୁନିକ ସୁବିଧା ବିକାଶ ନେଇ ଆଲୋଚନା ହୋଇଥିଲା। ଆସୋସିଏନ ପକ୍ଷରୁ ୧୮୫୨୫ ବ୍ରହ୍ମପୁର–ବିଶାଖାପାଟଣା ଟ୍ରେନକୁ ବ୍ରହ୍ମପୁର ପରିବର୍ତ୍ତେ ଛତ୍ରପୁରରୁ ଛାଡ଼ିବା ସହ କଟକ–ପଲାସା ଟ୍ରେନରେ ଅଧିକ ଡବା ସଂଯୋଜନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ବୈଠକରେ ଛତ୍ରପୁର ରେଳ ଷ୍ଟେସନ ପରିଚାଳକ ଶିବରାମ ସାହୁ, ବ୍ରହ୍ମପୁର ରେଳବାଇ ସୁରକ୍ଷା ବଳ ଥାନାଧିକାରୀ ବିବେକ କୁମାର, ଛତ୍ରପୁର ଭାରପ୍ରାପ୍ତ ରେଳବାଇ ସୁରକ୍ଷା ଅଧିକାରୀ ସୁରେଶ କୁମାରଙ୍କ ସମେତ ବହୁ ବୁଦ୍ଧିଜୀବୀ, ଜନପ୍ରତିନିଧି, ଯାତ୍ରୀ, ଷ୍ଟେସନ କର୍ମଚାରୀ ଓ ସୁରକ୍ଷା ବଳର ଅଧିକାରୀମାନେ ଉପସ୍ଥିତ ଥିଲେ।


