ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ବିସର୍ଜନରେ ଅଘଟଣ: ପୋଖରୀ ରେ ବୁଡ଼ି ୮ମ ଶ୍ରେଣୀ ଛାତ୍ର ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ସିଦ୍ଧଖଣ୍ଡି ଗାଁ ସ୍କୁଲ ରେ ୮ମ ଶ୍ରେଣୀ ରେ ପଢୁଥିବା ମରମ ଜେନା ଙ୍କ ପୁଅ ଶୀତାଂଶୁ ଜେନା(୧୩) ବୁଧବାର ସକାଳ ପ୍ରାୟ ୭ ଟାରେ ଗାଁ ପୋଖରୀ ରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ଶୀତାଂଶୁ ତାଙ୍କ ଗାଁ ର ସ୍ଵାଧୀନ ସ୍ବାଇଁ ଙ୍କ ଟ୍ୟୁସନ୍ ରେ ପଢୁଥିଲେ।ସକାଳେ ଘରେ ଜଳଖିଆ ଖାଇବା ପରେ ସେ ତାଙ୍କ ସାଙ୍ଗସାଥୀ ଙ୍କ ସହ ଟ୍ୟୁସନ ଯାଇଥିଲେ।ପରେ ସାଙ୍ଗ ମେଳ ରେ ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ପୋଖରୀ କୁ ଯାଇଥିଲେ। ସେଠାରେ କିଛି ସାଙ୍ଗ ଙ୍କ ସହ ମୂର୍ତ୍ତି କୁ ଧରି ସେ ପାଣି ଭିତରକୁ ଯାଇଥିବା ବେଳେ ପଙ୍କ ରେ ତାଙ୍କ ଗୋଡ଼ ଲାଗି ଯିବାରୁ ଗଭୀର ପାଣି ରେ ବୁଡ଼ି ଯାଇଥିଲେ।ପୋଖରୀ ତୁଠ ରେ ଥିବା କିଛି ସାଙ୍ଗ ସାଥୀ ଦୌଡ଼ି ଯାଇ ତାଙ୍କୁ ଉଦ୍ଧାର ପାଇଁ ଗାଁ ଲୋକଙ୍କୁ ଡାକି ଆଣିଥିଲେ।ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ଏତଲା ହେବାପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବଡ଼ ମେଡିକାଲ ଫାଣ୍ଡି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରିଥିଲେ।ପରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଅପରାହ୍ନ ରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ଏନେଇ ସମଗ୍ର ଗାଁ ରେ ଶୋକ ର ଛାୟା ଖେଳିଯାଇଛି।


