ଚାକିରି କରେଇଦେବା ନାଁ ରେ ଠକେଇ: ମଧ୍ୟସ୍ଥିକୁ ପୋଲିସ ଜିମାରେ ଦେଲେ ପ୍ରାର୍ଥୀ
ଛତ୍ରପୁର (ଓ୍ବାଇଏନଏସ) ; ଚାକିରି ପାଇଁ ଆଜିକା ଯୁବ ପିଢୀ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏହାର ସୁଯୋଗ ନେଇ ଯୁବପିଢୀଙ୍କୁ ଠକିବାରେ ଲାଗିଛନ୍ତି କିଛି ଦୁର୍ବୁତ୍ତ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରର ଏକ ଘରୋଇ କଲ୍ୟାଣ ମଣ୍ଡପରେ ଚାକିରି କରିବାର ମିଥ୍ୟା ପ୍ରଲୋଭନ ଦେଖାଇ ଇଣ୍ଟରଭ୍ୟୁ କରି ଟଙ୍କା ଲୁଟୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ମଧ୍ୟସ୍ଥିକୁ ଧରି ପୋଲିସ୍ ରେ ଜିମା ଦେଲେ କିଛି ଆଶାୟୀ ପ୍ରାର୍ଥୀ ମାନେ । ଛତ୍ରପୁର ଅଂଚଳର ଜଣେ ଜୈନିକା ମହିଳା କିଛି ଆଶାୟୀ ପ୍ରାର୍ଥୀ ମାନଙ୍କୁ ଚାକିରି କରାଇଦେବା ନାଁ ରେ ପ୍ରଥମେ ଟଙ୍କା ମାଗିଥିଲେ । ଗୁରୁବାର ସେମାନଙ୍କୁ ଇଣ୍ଟରଭ୍ୟୁ ନାଁ ରେ ଡାକି ମିଥ୍ୟା ନିଯୂକ୍ତିପତ୍ର ଓ ଆଇଡି କାର୍ଡ ଦେଇ ପୁଣି ଟଙ୍କା ମାଗିବାରୁ ପ୍ରାର୍ଥୀ ମାନଙ୍କ ସହିତ ପ୍ରଥମେ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ଇଣ୍ଟରଭ୍ୟୁ ନେବାକୁ ଆସିଥିବା ଲୋକଙ୍କୁ ଆଶାୟୀ ପ୍ରାର୍ଥୀ ମାନେ ଘେରିଥିଲେ । ମୁଖ୍ୟ ଅଭିଯୁକ୍ତ ଜଣକ ପୂର୍ବରୁ ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଯୁବପିଢୀ ମାନଙ୍କ ଠାରୁ ଚାକିରି କରାଇଦେବା ନାଁ ରେ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି । ଫୋନ ପେ ମାଧ୍ୟମରେ ଆଶାୟୀ ପ୍ରାର୍ଥୀ ମାନଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ପରେ ଏନେଇ ଛତ୍ରପୁର ଥାନାକୁ ଖବର ଦିଆଯାଇଥିଲା । ପୋଲିସ୍ ଆସିବା ଭିତରେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍ ପହଂଚି ତଦନ୍ତ କରିବା ସହିତ ଛତ୍ରପୁର ଅଂଚଳ ରେ ଏକ ଭଡା ଘରୁ ଜଣେ ମଧ୍ୟସ୍ଥି ଓ ତାଙ୍କ ସହଯୋଗୀ ପୋଲିସ୍ ଥାନାକୁ ଉଠାଇ ନେଇଥିଲା । ସେମାନଙ୍କ ଠାରୁ ବିଭିନ୍ନ ଡକ୍ୟୁମେଣ୍ଟ ସମେତ ଏକ ବାଇକକୁ ଜବତ କରିଛି ପୋଲିସ୍ । ପରେ ଉକ୍ତ ଘଟଣା ନେଇ ଛତ୍ରପୁର ଥାନାରେ ଅଶୋକ ରଥ ନାମକ ଜଣେ ଆଶାୟୀ ଏତାଲା ଦେଇଥିଲେ । ଏତାଲାକୁ ଆଧାର କରି କେଶ ନମ୍ବର ୪୨୦ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଉକ୍ତ ଘଟଣାରେ ଏବେ ସୁଦ୍ଧା ୪ ଜଣଙ୍କୁ ଅଟକ ରଖିଥିବା ଛତ୍ରପୁର ଥାନାର ସବ ଇନସିପେକ୍ଟର ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି ।


