ଆସିକାରେ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ
ଆସିକା (ୱାଇଏନ୍ଏସ୍) : ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ୍ ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜୟନ୍ତୀ ଶୁକ୍ରବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ପାଳିତ ହୋଇଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇ ମହାନ୍ ଦେଶଭକ୍ତ ତଥା ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ବିଭିନ୍ନ ସ୍ଥାନରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସାଙ୍ଗକୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ କାଳଷଣ୍ଢପୁର ସ୍ଥିତ ଆରିୟନ୍ ପବ୍ଳିକ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଅଭିନିତ୍ ଗମ୍ଭୀର ପ୍ରମୁଖ ଯୋଗଦେଇ ବୀର ଯୋଦ୍ଧା ମହାନ୍ ବିପ୍ଳବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଯୁବ ସମାଜ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ । ଆସିକା ଆରିୟନ ପବ୍ଳିକ ସ୍କୁଲ, ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ହାଇସ୍କୁଲ, ହରିହର ହାଇସ୍କୁଲ, କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର, କଲେଜଛକ ସ୍ଥିତ ପ୍ରଜ୍ଞା ଶିଶୁ ମନ୍ଦିର, ମା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ସ୍କୁଲ, ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନ ଗୁଡିକରେ ମଧ୍ୟ ଭାରତର ମହାନ୍ ସ୍ୱାଧିନତା ସଂଗ୍ରାମୀ, ଦେଶଭକ୍ତ, ଆଜାଦ୍ ହିନ୍ଦ ଫୌଜର କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।


